ଯଦି ନିକଟ ଅତୀତରେ ପ୍ରକାଶିତ ଓପିନିଅନ୍-ପୋଲ୍ଗୁଡ଼ିକୁ ଠିକ୍ ବୋଲି ଧରାଯାଏ, ପ୍ରଧାନମନ୍ତ୍ରୀ ମୋଦୀ ଏବେ ମଧ୍ୟ ସବୁଠୁ ଜନପ୍ରିୟ ନେତା ହୋଇଥାଇପାରନ୍ତି। ତେବେ କୁସ୍ତି ଆଥ୍ଲେଟଙ୍କ ନିର୍ଯାତନା ପ୍ରସଙ୍ଗରେ ତାଙ୍କ ନିରବତାକୁ କଠୋର ଭାଷାରେ ଲୋକେ ସମାଲୋଚନା କରୁଛନ୍ତି। ଦୋହାରେ ଆୟୋଜିତ ଡାଏମଣ୍ଡ ଲିଗ୍ରେ ୮୮.୬୭ ମିଟର ଜାଭେଲିନ୍ ଫିଙ୍ଗି ନୀରଜ ଚୋପ୍ରା ସ୍ବର୍ଣ୍ଣପଦକ ଜିତିବା ଯୋଗୁ ମୋଦୀ ଅବିଳମ୍ବେ ଟ୍ବିଟ୍ କରି ତାଙ୍କୁ ଅଭିନନ୍ଦନ ଜଣାଇଲେ। ଉକ୍ତ ଟ୍ବିଟ୍ର ପ୍ରତିକ୍ରିୟାରେ ଅନେକ ଲୋକ ମଧ୍ୟ ନୀରଜଙ୍କୁ ଅଭିନନ୍ଦନ ଜଣାଇଲେ।
ଦେଶ ତାଙ୍କ ପାଇଁ ଗର୍ବିତ ବୋଲି ବହୁସଂଖ୍ୟାରେ ସୁନ୍ଦର ବାର୍ତ୍ତା ତ ଆସିଲା। ହେଲେ ବହୁ ବ୍ୟକ୍ତି ଦିଲ୍ଲୀରେ ଏବେ ଚାଲିଥିବା କୁସ୍ତିଯୋଦ୍ଧାଙ୍କ ଧାରଣା ଆଡ଼କୁ ମୋଦୀଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରିଥିବା ଦେଖାଯାଇଛି। @beVocal_India ପକ୍ଷରୁ ମହିଳା କୁସ୍ତି ଚାମ୍ପିଅନ୍ମାନଙ୍କ ଫଟୋ ପୋଷ୍ଟ କରାଯିବା ସହ ଭାବବିହ୍ବଳ ହୋଇ ମୋଦୀଙ୍କ ଉଦ୍ଦେଶ୍ୟରେ କୁହାଯାଇଛି, ଦେଶ ପାଇଁ ଗୈାରବ ଆଣିଥିବା ଏଇ କନ୍ୟାରତ୍ନମାନଙ୍କ ପାଇଁ ବି ଏମିତି ଆପଣ ଟିକେ ମୁହଁ ଖୋଲନ୍ତେନି! ଆପଣ ସାମାନ୍ୟ ଟିକେ ଇସାରା କଲେ ଏମାନଙ୍କୁ ନ୍ୟାୟ ମିଳିପାରନ୍ତା।
ଏହି ମର୍ମରେ ବହୁସଂଖ୍ୟାରେ ପୋଷ୍ଟ ଆସିଛି। ଏହା ମଧ୍ୟ କୁହାଯାଇଛି, ଯଦି ନୀରଜଙ୍କ କୀର୍ତ୍ତିମାନର ଶ୍ରେୟ ନେବାକୁ ଆପଣ ଏତେ ଆତୁର, ଲାଞ୍ଛିତ ଭଉଣୀମାନଙ୍କ ଦୁର୍ଦ୍ଦଶାର କ୍ରେଡିଟ୍ ବି ଆପଣ ନିଅନ୍ତୁ। ଗତ ୨୮ ଏପ୍ରିଲରେ ନୀରଜ ନିଜେ ମଧ୍ୟ ଉକ୍ତ ଘଟଣାର ନିନ୍ଦା କରିବା ସହ କ୍ରୀଡ଼ାବିତମାନଙ୍କୁ ସରକାର ତୁରନ୍ତ ନ୍ୟାୟପ୍ରଦାନ କରିବାକୁ ଏକ ମିମ୍ସ ଟ୍ବିଟ୍ କରିଥିଲେ। ମିମ୍ସଟିକୁ ବହୁତ ନେଟିଜେନ୍ ରିପୋଷ୍ଟ କରିଛନ୍ତି। ଜଣେ ପରିହାସ ଛଳରେ କହିଛନ୍ତି, ନିରଜ ଯେତେ ଫିଙ୍ଗିଲେ ବି ଆପଣଙ୍କଠାରୁ କମ୍! ଆହୁରି ମଧ୍ୟ କୁହାଯାଇଛି, ବ୍ରିଜ୍ଭୂଷଣଙ୍କ ପରି ସାଂସଦଙ୍କୁ ନେଇ ତ ମୋଦୀ ସଂଖ୍ୟାଗରିଷ୍ଠତାର ସରକାର ଗଢ଼ିଛନ୍ତି! ସେ ପୁଣି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବେ ବୋଲି ଆମେ କେମିତି ଆଶା କରିବା? ମୋଦୀ କ’ଣ ଏତେ ନ୍ୟାୟବନ୍ତ?