ନୂଆଦିଲ୍ଲୀ : ରାଜସ୍ଥାନରେ ୨ ଶୀର୍ଷ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। ଗେହଲଟ-ପାଇଲଟଙ୍କ ବିବାଦ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ବ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ପ୍ରସଙ୍ଗରେ କଂଗ୍ରେସକୁ କଟାକ୍ଷ କରିଛନ୍ତି।

Advertisment

ରାଜସ୍ଥାନରେ ଏକ କାର୍ଯ୍ୟକ୍ରମରେ ମୋଦୀ କହିଛନ୍ତି, ଏହା କି ପ୍ରକାରର ସରକାର ଯେଉଁଠି ସରକାର ନିଜ ବିଧାୟକଙ୍କୁ ବିଶ୍ବାସ କରୁନାହାନ୍ତି ଏବଂ ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ବାସ କରୁନାହାନ୍ତି। ସରକାରରେ ପ୍ରତି ଲୋକ ପରସ୍ପରକୁ ଅପମାନିତ କରୁଛନ୍ତି। ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ଆସନ ସମଗ୍ର ୫ ବର୍ଷ ଧରି ସମସ୍ୟାରେ ଅଛି ସେଠି ରାଜସ୍ଥାନର ବିକାଶ କଥା କିଏ ପଚାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଥଦ୍ବାରଠାରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗଣତନ୍ତ୍ରରେ ବିଚାରଧାରାକୁ ନେଇ ଲଢ଼େଇ ହୋଇଥାଏ ଏବଂ ଏହା ଶତ୍ରୁତା ନୁହେଁ। ପ୍ରଧାନମନ୍ତ୍ରୀ ବିରୋଧୀ ଦଳମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଉଚିତ ଏବଂ ସେ ଏ ଦିଗରେ ଅଗ୍ରସର ହେବେ ବୋଲି ଗେହଲଟ କହିଥିଲେ।

ଉଲ୍ଲେଖଯୋଗ୍ୟ, ଗେହଲଟ ନିକଟରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ କହିଥିଲେ ଯେ ୨୦୨୦ରେ ମୋ ସରକାରକୁ ସୁରକ୍ଷା ଦେବାପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ଅନ୍ୟ ୨ ବିଜେପି ‌ନେତା ମତେ ସାହାଯ୍ୟ କରିଥିଲେ। ଏହାର ଜବାବ ଦେଇ ସଚିନ ପାଇଲଟ କହିଛନ୍ତି, ଅଶୋକ ଗେହଲଟଙ୍କ ବାସ୍ତବ ବସ୍‌ ହେଉଛନ୍ତି ବସୁନ୍ଧରା ରାଜେ। ସୋନିଆ ଗାନ୍ଧି ‌ଗେହଲଟଙ୍କ ବସ୍‌ ନୁହନ୍ତି।