ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଡିଗ୍ରି ଉପରେ ଆପତ୍ତିଜନକ ଓ ବିବାଦୀୟ ବୟାନ ଦେଇଥିବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ବିରୋଧରେ ଗୁଜରାଟ ହାଇକୋର୍ଟରେ ଚାଲିଥିବା ମାନହାନି ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। ଜଷ୍ଟିସ୍ ବିଆର୍ ଗୱାଇ ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାନହାନି ମାମଲା ସହ ଜଡ଼ିତ ସମନକୁ ରଦ୍ଦ କରିବା ପାଇଁ ଆପ୍ ନେତାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ଗୁଜୁରାଟ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ଗୁଜୁରାଟରୁ କୋଲକାତା ସ୍ଥାନାନ୍ତର କରିବା ପାଇଁ ସିଂହଙ୍କ ଆବେଦନର ଶୁଣାଣି କରି ଅଦାଲତ ଏହା କହିଛନ୍ତି। ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ସଞ୍ଜୟ ସିଂହଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଖଣ୍ଡପୀଠଙ୍କୁ କହିଥିଲେ ଯେ ଗୁଜରାଟ ହାଇକୋର୍ଟରେ ସ୍ଥଗିତାଦେଶ ପାଇଁ ଆବେଦନ ବିଚାରାଧୀନ ଥିବା ସତ୍ତ୍ବେ ତାଙ୍କ ମହକିଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ଏବଂ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ତଳ କୋର୍ଟରେ ଉଦ୍ୟମ ହୋଇଥିଲା।