ଦେଶକୁ ବୁଡ଼ାଇ ଦେବେ ମୋଦି, ଅମିତ ଶାହାଙ୍କ ସାମ୍ନାରେ ଏଭଳି ବୟାନ୍‌ ଦେଲେ ବିଜେପି ସାଂସଦ !

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ବିଜେପି ସାଂସଦ ପ୍ରହ୍ଲାଦ ଯୋଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସାଂସଦ ପ୍ରହ୍ଲାଦ ଯୋଶୀ କହିଛନ୍ତି, ‘ମୋଦି ଦେଶକୁ ବରବାଦ କରିଦେବେ। ସେ ଗରିବ, ଦଳିତ ଓ ପଛୁଆ ବର୍ଗ ଲୋକଙ୍କ ପାଇଁ କେବେ କିଛି ମଧ୍ୟ କରିବେ ନାହିଁ ।’

ସୂଚନା ଅନୁଯାୟୀ, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ଅଧ୍ୟକ୍ଷ ଅମିତ ଶାହ ଦବାନାଗରୀରେ ପ୍ରଚାର କରୁଥିବା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରଚାର ସମୟରେ ଅମିତ ଶାହ ହିନ୍ଦୀରେ କଂଗ୍ରେସ ସରକାର ତଥା ସିଦ୍ଦରମେୟା ସରକାର ଉପରେ ଖୁବ ବର୍ଷି ଥିଲେ । ଏହାସହ ସିଦ୍ଦାରମେୟା ସରକାର କର୍ଣ୍ଣାଟକର ବିକାଶ କରି ପାରିବ ନାହିଁ । ମୋଦିଙ୍କ ଉପରେ ବିଶ୍ୱାସ ରଖି ୟେଦୁରପ୍ପାଙ୍କୁ ଭୋଟ ଦିଅନ୍ତୁ । କର୍ଣ୍ଣାଟକକୁ ଦେଶର ଏକ ନମ୍ବର ରାଜ୍ୟ କରିବା ଆମର ଦାୟିତ୍ୱ ବୋଲି କହିଥିଲେ ବିଜେପି ଅଧ୍ୟକ୍ଷ ଅମିତ ଶାହ।

କିନ୍ତୁ ଏହାପରର ଘଟଣା ଥିଲା ବେଶ ରୋଚକ । ଅମିତ ଶାହଙ୍କ ଭାଷଣକୁ କନ୍ନଡରେ ଦଳୀୟ ସାଂସଦ ପ୍ରହ୍ଲାଦ ଯୋଶୀ ଅନୁବାଦ କରିବାକୁ ଯାଇ ପ୍ରହ୍ଲାଦ କହିଥିଲେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ, ଦଳିତ ଓ ପଛୁଆ ବର୍ଗ ଲୋକଙ୍କ ପାଇଁ କିଛି କରିବେ ନାହିଁ । ଏହାସହ ଦେଶକୁ ପୂରା ବରବାଦ କରିଦେବେ । ତେଣୁ ଆମକୁ ଭୋଟ ଦିଅନ୍ତୁ ।’ ଏକଥା ଶୁଣିବା ପରେ କିଛି ସମୟ ସମସ୍ତେ ଆଶ୍ଚଯ୍ୟଚକିତ ହୋଇଯାଇଥିଲେ।

ଚଳିତ ନିର୍ବାଚନ ପ୍ରଚାରରେ ଏହି ଘଟଣା ପ୍ରଥମଥର ଦେଖିବାକୁ ମିଳିନାହିଁ । ଏହାପୂର୍ବରୁ ଚିତ୍ରଦୁର୍ଗରେ ଅମିତ ପ୍ରଚାର କରୁଥିବା ବେଳେ ହିନ୍ଦୀରେ ଭାଷଣ ଦେଇ ହରଡଘଣାରେ ପଡିଥିଲେ । ଯେତେବେଳେ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଲୋକମାନେ ଚାହୁଁଛନ୍ତି କି ନାହିଁ ହିନ୍ଦୀରେ ପଚାରିଥିଲେ। ସେତେବେଳେ ଲୋକଙ୍କର ଉତ୍ତରରେ ଆଶ୍ଚଯ୍ୟ ହୋଇଯାଇଥିଲେ । କାରଣ ହିନ୍ଦୀ ବୁଝୁ ନଥିବା ଲୋକ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ମନା କରିଥିଲେ । ଏହା ପୂର୍ବରୁ ଅମିତ ଶାହ ମଧ୍ୟ ଚଳିତ ନିର୍ବାଚନ ପ୍ରଚାରରେ ୟେଦୁରପ୍ପାଙ୍କ ସରକାରକୁ ସବୁଠୁ ଦୁର୍ନୀତିଗ୍ରସ୍ତ ସରକାର ବୋଲି କହିଥିଲେ । ଏହାକୁ ନେଇ କଂଗ୍ରେସ କହିଥିଲା ଅମିତଙ୍କ ପାଟିରୁ ସତ କଥା ବାହାରି ପଡ଼ିଛି। ଯାହାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା ।

ସମ୍ବନ୍ଧିତ ଖବର