ଚୀନ୍‌ ପ୍ରସଙ୍ଗରେ କିଛି କହିଲେନି ମୋଦୀ

କଂଗ୍ରେସର ଅଭିଯୋଗ, ଚୀନ୍‌ ବିଷୟରେ କହିବାକୁ ଭୟ କରୁଛନ୍ତି ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଆଜି ଅନ୍‌ଲକ୍‌ ୱାନ୍‌ ପ୍ରକ୍ରିୟା ଶେଷ ହେବା ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କରୋନା ବିରୋଧରେ ଲଢ଼େଇକୁ ଆହୁରି ଅଧିକ ଶାଣିତ କରିବାକୁ ପଡ଼ିବ ଏବଂ ଆହୁରି ଅଧିକ ସଚେତନ ହେବାକୁ ପଡ଼ିବ ବୋଲି କହିଛନ୍ତି। ମୋଦୀଙ୍କ ଭାଷଣରେ ଆଜି ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ ଥିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା। ଗରିବମାନଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଉଥିବା ଏହି ‌ଯୋଜନାକୁ ମୋଦୀ ଆସନ୍ତା ନଭେମ୍ବର ଶେଷ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। କିନ୍ତୁ ଚୀନ୍‌ ସହ ଗଲ୍‌ୱାନ୍‌ ଘାଟିରେ ସଂଘର୍ଷ ହୋଇ ଭାରତ ଏହାର ୨୦ ଯବାନଙ୍କୁ ହରାଇବାପରେ ମୋଦୀ ଆଜି ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଥିଲେ ସୁଦ୍ଧା ଚୀନ୍‌ ପ୍ରସଙ୍ଗରେ କିଛି କହିନାହାନ୍ତି। ତେଣୁ କଂଗ୍ରେସ ଏବେ ଏହାକୁ ନେଇ ମୋଦୀଙ୍କୁ ଟାର୍ଗେଟ୍‌ କରିଛି। ମୋଦୀ କାହିଁକି ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ସମୟରେ ଚୀନ୍‌ ବିଷୟରେ କିଛି କହିଲେନି ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି। କଂଗ୍ରେସ ପକ୍ଷରୁ ଏକ ଟ୍ବିଟ୍‌ କରି କୁହାଯାଇଛି ଯେ, ମୋଦୀ ଚୀନ୍‌କୁ ନିନ୍ଦା କରିବା ତ ଦୂରର କଥା ସେ ଚୀନ୍‌ ବିଷୟରେ କିଛି କହିବାକୁ ମଧ୍ୟ ଭୟ କରିଛନ୍ତି। ମୋଦୀ ଦେଇଥିବା ଆଜିର ଉଦ୍‌ବୋଧକୁ ଏଡ଼ାଇ ଦିଆଯାଇପାରିଥାନ୍ତା ବୋଲି କଂଗ୍ରେସ କହିଛି।। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉକ୍ତ ପ୍ରସଙ୍ଗରେ ଏକ କବିତା ପୋଷ୍ଟ୍‌ କରି ମୋଦୀଙ୍କୁ ସମାଲୋଚନା କରିଛନ୍ତି। ଚୀନ୍‌ ସେନା ଭାରତୀୟ ଅଂଚଳରୁ କେବେ ହଟିବେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର