ଦେଶର ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଉଛନ୍ତି ମୋଦୀ, ରାହୁଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ମୁଖ୍ୟ ପ୍ରସଙ୍ଗ ଉପରୁ ଧ୍ୟାନ ହଟାଇବା ପାଇଁ ଉଦ୍ୟମ କରୁଛନ୍ତି। ଗଣମାଧ୍ୟମ ଦେଶର ଆର୍ଥିକ ମା‌ନ୍ଦାବସ୍ଥା, ବେକାରୀ ସମସ୍ୟା, ଚାଷୀ ଆତ୍ମହତ୍ୟା ଭଳି ପ୍ରସଙ୍ଗକୁ ପ୍ରଚାର ପ୍ରସାର କରିବା ବଦଳରେ ମୋଦୀଙ୍କର ପ୍ରଚାର କରିଚାଲିଛି ବୋଲି ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ମହାରାଷ୍ଟ୍ରର ଔସାଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗଦେଇ ରାହୁଲ ଦେଶରେ ବେକାରୀ ସମସ୍ୟା ଓ ଆର୍ଥିକ ମାନ୍ଦା‌ବସ୍ଥା ନେଇ ପ୍ରଧାମନ୍ତ୍ରୀଙ୍କୁ ଘେରିଛନ୍ତି। ଯେତେବେଳେ ଦେଶର ଯୁବକମାନେ ଚାକିରି ମାଗୁଛନ୍ତି, ସରକାର ସେମାନଙ୍କୁ ଜହ୍ନ ଦେଖାଉଛନ୍ତି ବୋଲି ରାହୁଲ କଟାକ୍ଷ କରିଛନ୍ତି। ଦେଶରେ ଯେତେବେଳେ ବେକାରୀ ସମସ୍ୟା ଉତ୍କଟ ସେତେବେଳେ ସରକାର ଚନ୍ଦ୍ରାୟନ-୨ରେ ବ୍ୟସ୍ତ ଅଛନ୍ତି। ଦେଶର ଆର୍ଥିକ ସଂକଟ ଚିନ୍ତାଜନକ ହୋଇ ପଡ଼ିଥିବାବେଳେ ମୋଦୀ ଏହାକୁ ‌ଏଡ଼ାଇ ଯାଉଛନ୍ତି। ଚୀନ ସୈନ୍ୟ ଭାରତ ମଧ୍ୟକୁ ପଶି ଆସୁଛନ୍ତି ଏବଂ ଡୋକଲାମ୍‌ ବିବାଦର ସମାଧାନ ହୋଇ ପାରୁନାହିଁ। ଏଭଳି ସ୍ଥଳେ ମୋଦୀ ଚୀନ୍‌ ରାଷ୍ଟ୍ରପତି ଜିନ୍‌ ପିଙ୍ଗ୍‌ଙ୍କୁ ଆମନ୍ତ୍ରଣ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର