କାହିଁକି ରାଜ୍ୟ ହାତରୁ ଯାଇ କେନ୍ଦ୍ର ପାଖରେ ପହଁଚିଲା ଟିକାକରଣର ଦାୟିତ୍ୱ? ମୋଦୀ ବୁଝାଇଲେ ଗୁମର ରହସ୍ୟ

ନୂଆଦିଲ୍ଲୀ: ଗ୍ଲୋବାଲ ଟେଣ୍ଡରଠାରୁ ଆରମ୍ଭ କରି ବିଭିନ୍ନ ଟିକା କମ୍ପାନୀମାନଙ୍କ ସହ ସିଧାସଳଖ କଥାବାର୍ତ୍ତା ହୋଇଥିଲେ ରାଜ୍ୟ | ନିଜସ୍ୱ ରାଜକୋଷରୁ ଖର୍ଚ୍ଚ କରି ରାଜ୍ୟବାସୀଙ୍କୁ ଟିକା ଦେବାକୁ ଯୋଜନା କରିଥିଲେ କିଛି ରାଜ୍ୟ | ଏଥିପାଇଁ ଓଡ଼ିଶା, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ପଞ୍ଜାବ ଭଳି ରାଜ୍ୟ ପ୍ରୟାସ ବି କରିଥିଲେ | କିନ୍ତୁ ଟିକା କମ୍ପାନୀମାନେ ରାଜ୍ୟ ଅପେକ୍ଷା କେନ୍ଦ୍ର ସରକାରଙ୍କ ସହ ଟିକା ରାଜିନାମା ପାଇଁ ଅଧିକ ଆଗ୍ରହୀ ଥିବାର ଜଣାପଡିଥିଲା | ତେବେ ମୋଦୀ ଆଜି ଜାନୁୟାରୀ ମାସରୁ ଏପର୍ଯ୍ୟନ୍ତ ହୋଇଥିବା ଟିକାକରଣର ସମ୍ପୂର୍ଣ୍ଣ ବିବରଣୀ ରଖିଛନ୍ତି |

ମୋଦୀ କହିଛନ୍ତି ଯେ ଚଳିତ ବର୍ଷ ଜାନୁଆରୀ ୧୬ ରୁ ଏପ୍ରିଲ ଶେଷ ପର୍ଯ୍ୟନ୍ତ ଭାରତର ଟିକାକରଣ କାର୍ଯ୍ୟକ୍ରମ ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ତତ୍ୱାବଧାନରେ କରାଯାଇଥିଲା। ସମସ୍ତଙ୍କୁ ମାଗଣା ଟିକା ଯୋଗାଇବା ରାସ୍ତାରେ ଦେଶ ଆଗକୁ ବଢ଼ୁଥିଲା । ସମସ୍ତେ ଅନୁଶାସନକୁ ଅନୁସରଣ କରି ଟିକା ନେଉଥିଲେ । ଏହାରି ଭିତରେ ଅନେକ ରାଜ୍ୟ ସରକାର କହିଥିଲେ ଯେ ଟିକାକରଣ କାମକୁ ରାଜ୍ୟ ଉପରେ ଛାଡି ଦିଆଯାଉ। ଟିକାକରଣ ପାଇଁ କାହିଁକି ବୟସ ବର୍ଗ ସୃଷ୍ଟି କରାଯାଇଛି? କେନ୍ଦ୍ର ସରକାର କାହିଁକି ବୟସ ସୀମା ସ୍ଥିର କରିବେ? ବରିଷ୍ଠମାନଙ୍କୁ ପ୍ରଥମେ କାହିଁକି ଟିକା ଦିଆଗଲା? ଏଭଳି କିଛି ପ୍ରଶ୍ନ ରାଜ୍ୟମାନେ ଉଠାଇଲେ | ବିଭିନ୍ନ ଚାପ ମଧ୍ୟ ସୃଷ୍ଟି ହୋଇଥିଲା |

ଦେଶର କିଛି ଗଣମାଧ୍ୟମ ମଧ୍ୟ ଏହାକୁ ଏକ ଅଭିଯାନ ଆକାରରେ ଚଳାଇଲେ | ଆଉ ଏହା ପରେ ମେ ୧ ରୁ ୨୫ ପ୍ରତିଶତ କାମ ରାଜ୍ୟମାନଙ୍କୁ ଦିଆଯାଇଥିଲା | ଏହା ପରେ ରାଜ୍ୟମାନେ ନିଜ ନିଜ ସ୍ତରରେ କାର୍ଯ୍ୟ କଲେ | ରାଜ୍ୟମାନଙ୍କୁ ଜଣାପଡିଗଲା ଯେ ବିଶ୍ୱରେ ଟିକାକରଣର ସ୍ଥିତି କ’ଣ? ଏହାରି ମଧ୍ୟରେ କରୋନାର ଦ୍ଵିତୀୟ ଲହରୀ ଆସିଗଲା | ଯେଉଁମାନେ ଏଭଳି ପ୍ରଶ୍ନ କରୁଥିଲେ ସେମାନଙ୍କର ବିଚାର ବଦଳିବାକୁ ଲାଗିଲା | ଆଉ ଏଥିପାଇଁ କେନ୍ଦ୍ର ସରକାର ଟିକାର ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ନେଇଛନ୍ତି |

ସମ୍ବନ୍ଧିତ ଖବର