ମୋଦୀଙ୍କ ବିଦେଶ ଯାତ୍ରାରେ ଖର୍ଚ୍ଚ ହୋଇଛି ଏତିକି କୋଟି ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତ ଏବଂ ଏଥି ପାଇଁ ହେଉଥିବା ଖର୍ଚ୍ଚକୁ ନେଇ ପ୍ରାୟତଃ ଆଲୋଚନା କରାଯାଇଥାଏ। ସରକାର ଏ ସମ୍ପର୍କରେ ଆଜି ଏକ ତଥ୍ୟ ଉପସ୍ଥାପନ କରିଛନ୍ତି। ବଜେଟ୍ ଅଧିବେଶନରେ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି.ମୁରଲୀଧରନ୍ ଏନେଇ ଗୃହରେ ଉତ୍ତର ରଖିଛନ୍ତି | ସେ କହିଛନ୍ତି ଯେ ୨୦୧୯ ମସିହାରୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ଥର ବିଦେଶ ଗସ୍ତ କରିଛନ୍ତି | ଆଉ ଏବାବଦରେ ୨୨.୭୬ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି | ଏହା ବ୍ୟତୀତ ସେ ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତର ସବିଶେଷ ତଥ୍ୟ ମଧ୍ୟ ଦେଇ କହିଛନ୍ତି ଯେ ୨୦୧୯ ମସିହାରୁ ରାଷ୍ଟ୍ରପତି ୮ଥର ବିଦେଶ ଗସ୍ତ କରିଛନ୍ତି, ଯେଉଁଥିରେ ୬.୨୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସରକାର ୬ କୋଟି ୨୪ ଲକ୍ଷ ୩୧ହଜାର ୪୨୪ ଟଙ୍କା, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ୨୨ କୋଟି ୭୬ ଲକ୍ଷ ୭୬ ହଜାର ୯୩୪ ଟଙ୍କା ଖର୍ଚ୍ଚ କରିଛନ୍ତି |

ସେହିପରି ୨୦୧୯ ପରଠାରୁ ବୈଦେଶିକ ମନ୍ତ୍ରୀଙ୍କ ଗସ୍ତ ପାଇଁ ୨୦ କୋଟି ୮୭ ଲକ୍ଷ ୦୧ ହଜାର ୪୭୫ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ମୁରଲୀଧରନ କହିଛନ୍ତି। ୨୦୧୯ ମସିହାରୁ ରାଷ୍ଟ୍ରପତି ଆଠ ଥର ବିଦେଶ ଯାତ୍ରା କରିଥିବାବେଳେ ପ୍ରଧାନମନ୍ତ୍ରୀ ୨୧ ଥର ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ୮୬ ଥର ବିଦେଶ ଗସ୍ତ କରିଛନ୍ତି। ୨୦୧୯ ପରଠାରୁ ପ୍ରଧାନମନ୍ତ୍ରୀ ମୋଦୀ ତିନିଥର ଜାପାନ, ଦୁଇ ଥର ଆମେରିକା ଏବଂ ଥରେ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ କରିଛନ୍ତି। ରାଷ୍ଟ୍ରପତିଙ୍କ ଆଠଟି ଗସ୍ତ ମଧ୍ୟରୁ ରାମନାଥ କୋବିନ୍ଦ ଆଠଟି କରିଥିବାବେଳେ ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ସେପ୍ଟେମ୍ବରରେ ବ୍ରିଟେନ ଗସ୍ତ କରିଥିଲେ।

ସମ୍ବନ୍ଧିତ ଖବର