ଇମ୍ଫାଲ: ମଣିପୁର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟବାସୀଙ୍କୁ ଭରସା ଦେଇ କହିଛନ୍ତି, ମୁଁ ଆପଣମାନଙ୍କ ସହ ରହିଛି ଏବଂ ସରକାର ମଧ୍ୟ ଆପଣଙ୍କ ସହ ରହିଛି। ୨୦୨୩ରେ ହିଂସା ହେବାପରଠାରୁ ଆଜି ପ୍ରଧାନମନ୍ତ୍ରୀ ମଣିପୁରକୁ ପ୍ରଥମ ଗସ୍ତ କରିଛନ୍ତି। ହିଂସା ଯୋଗୁ ସର୍ବାଧିକ ପ୍ରଭାବିତ ଜିଲ୍ଲା ଚୁରାଚାନ୍ଦପୁରରେ ଆଜି ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ମଣିପୁରକୁ ଆଶା ଓ ପ୍ରତିଜ୍ଞାର ଏକ ଭୂମି ବୋଲି ମୋଦୀ ବର୍ଣ୍ଣନା କରିଛନ୍ତି। ଦୀର୍ଘଦିନ ଧରି ଆତଙ୍କ ଖେଳାଇଥିବା ହିଂସା କବଳରୁ ଏବେ ମଣିପୁର ଧୀରେଧୀରେ ବାହାରୁଛି। ଏହି ପ୍ରସଙ୍ଗରେ ମୋଦୀ କହିଛନ୍ତି, ମୁଁ କିଛି ସମୟ ପୂର୍ବରୁ ହିଂସା ପୀଡ଼ିତ କିଛି ଲୋକଙ୍କୁ ଶିବିରରେ ଭେଟିଥିଲି ଏବଂ ସେମାନଙ୍କ ସହ କଥା ହେବାପରେ ମୁଁ କହିପାରିବି ଯେ ମଣିପୁରରେ ଆଶା ଓ ବିଶ୍ୱାସର ଏକ ନୂତନ ସୂର୍ଯ୍ୟ ଉଦୟ ହେଉଛି। ମୋଦୀ ସମସ୍ତ ଗୋଷ୍ଠୀଙ୍କୁ ଶାନ୍ତି ରକ୍ଷା ପାଇଁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ମଣିପୁରର ଭୂମି ହେଉଛି ଆଶା ଏବଂ ଆକାଂକ୍ଷାର ଭୂମି। ଦୁର୍ଭାଗ୍ୟବଶତଃ ହିଂସା ଏହି ସୁନ୍ଦର ଅଞ୍ଚଳରେ ଏହାର ଛାଇ ପକାଇଛି।
ସରକାର ଆପଣଙ୍କ ସହ ରହିଛି, ବିକାଶ ପାଇଁ ଶାନ୍ତି ଜରୁରି
ଆଶା ଓ ବିଶ୍ବାସର ନୂତନ ସୂର୍ଯ୍ୟ ଉଦୟ ହେଉଛି
ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଯେକୌଣସି ଅଞ୍ଚଳରେ ବିକାଶ ପାଇଁ ଶାନ୍ତି ପ୍ରତିଷ୍ଠା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗତ ୧୧ ବର୍ଷ ମଧ୍ୟରେ, ଉତ୍ତର-ପୂର୍ବାଞ୍ଚଳରେ ଅନେକ ଦୀର୍ଘକାଳୀନ ବିବାଦ ଓ ଦ୍ୱନ୍ଦ୍ୱର ଅନ୍ତ ଘଟିଛି। ଲୋକମାନେ ଶାନ୍ତିର ପଥ ବାଛିଛନ୍ତି ଏବଂ ବିକାଶକୁ ପ୍ରାଥମିକତା ଦେଇଛନ୍ତି। ବିଭିନ୍ନ ଗୋଷ୍ଠୀ ସହ ଏକ ବୁଝାମଣା ପାଇଁ ସମ୍ପ୍ରତି ଆଲୋଚନା ଆରମ୍ଭ ହୋଇଥିବା ନେଇ ମୋଦୀ ସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ବୈଠକଗୁଡ଼ିକ କେନ୍ଦ୍ରର ପଦକ୍ଷେପର ଏକ ଅଂଶ, ଯାହା ଶାନ୍ତି ଦିଗରେ କାମ କରିବା ପାଇଁ ଆଲୋଚନା, ସମ୍ମାନ ଏବଂ ପାରସ୍ପରିକ ବୁଝାମଣାକୁ ପ୍ରାଥମିକତା ଦେଉଛି। ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ସମସ୍ତ ସଂଗଠନକୁ ଶାନ୍ତି ପଥରେ ଆଗକୁ ବଢ଼ିବା, ନିଜ ସ୍ୱପ୍ନ ପୂରଣ କରିବା ଏବଂ ନିଜ ପିଲାମାନଙ୍କ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ନିବେଦନ କରୁଛି। ସେ ମଣିପୁରରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ସରକାରଙ୍କ ପ୍ରୟାସ ଉପରେ ମଧ୍ୟ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଭାବିତ ଅଂଚଳରେ ବିକାଶ ପାଇଁ ପ୍ରାୟ ୩୦୦୦ କୋଟିର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରାଯାଇଛି। ପ୍ରଭାବିତ ଲୋକଙ୍କୁ ସହାୟତା ପାଇଁ ୫୦୦ କୋଟିର ଏକ ପୃଥକ ବ୍ୟବସ୍ଥା ସହ ମଣିପୁରର ଆଦିବାସୀ ଯୁବକମାନଙ୍କୁ ସହଯୋଗ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି।
ମଣିପୁର ରାଜଧାନୀ ଇମ୍ଫାଲରେ ଏକ କାର୍ଯ୍ୟକ୍ରମରେ ମୋଦୀ କହିଛନ୍ତି, ଇମ୍ଫାଲ ହେଉଛି ସମ୍ଭାବନାର ସହର। ବିକାଶମୂଳକ ପଦକ୍ଷେପଗୁଡ଼ିକର ତାଲିକା ଦେଇ ପ୍ରଧାନମନ୍ତ୍ରୀ ପୁଖରିରେ ଏକ ନୂତନ ସିଭିଲ ସଚିବାଳୟ, ଆଇଟି ଏସଇଜେଡ୍ କୋଠା ଏବଂ ନୂତନ ପୁଲିସ ମୁଖ୍ୟାଳୟ, ଦିଲ୍ଲୀ ଏବଂ କୋଲକାତାରେ ମଣିପୁର ଭବନ ଆଦି ବିଷୟରେ ସୂଚନା ଦେଇଥିଲେ। ମୋଦୀ କହିଛନ୍ତି, ଆଜି, ମଣିପୁରର ପ୍ରଗତି ପାଇଁ ହଜାର ହଜାର କୋଟି ଟଙ୍କାର ବିକାଶ ପ୍ରକଳ୍ପ ଉଦ୍ଘାଟନ ଏବଂ ଶୁଭାରମ୍ଭ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଲୋକଙ୍କ ଜୀବନଧାରଣକୁ ଅଧିକ ସହଜ କରିବ, ଭିତ୍ତିଭୂମିକୁ ସୁଦୃଢ଼ କରିବ ଏବଂ ମଣିପୁରର ଯୁବକମାନଙ୍କ ପାଇଁ ନିଯୁକ୍ତିର ନୂତନ ସୁଯୋଗ ସୃଷ୍ଟି କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/14/gjgdjdgjgdjcbn-2025-09-14-00-23-10.jpg)