୫୦୦ କୋଟି ଦେଲେ ମୋଦୀ, ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରଶଂସା

ନୂଆଦିଲ୍ଲୀ : ବାତ୍ୟା ‘ୟାସ୍‌’ ପରବର୍ତ୍ତୀ ସହାୟତା ଓ ପୁନଃନିର୍ମାଣ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଲାଗି ୫୦୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଘୋଷଣା କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ଆଉ ୫୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହିଭଳି ଭାବେ ମୋଟ ୧୦୦୦ କୋଟି ଟଙ୍କା ସହାୟତା ଘୋଷଣା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। କେନ୍ଦ୍ର ସରକାର ଆହୁରି କହିଛନ୍ତି ଯେ ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ତଥା ଗୁରୁତର ଆହତଙ୍କ ଲାଗି ୫୦ ହଜାର ଟଙ୍କାର ସହାୟତା ଦିଆଯିବ।

ଭୁବନେଶ୍ବରରେ ସମୀକ୍ଷା ବୈଠକ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶ ମାର୍ଗରେ ଦେଖିଥିଲେ। କେନ୍ଦ୍ର ସରକାର କହିଛନ୍ତି ଯେ ପ୍ରଭାବିତ ରାଜ୍ୟମାନଙ୍କରେ ସଂପୂର୍ଣ୍ଣ କ୍ଷୟକ୍ଷତିର ଆକଳନ ପାଇଁ ଆନ୍ତଃ ମନ୍ତ୍ରାଳୟ ଟିମ୍ ଖୁବ୍‌ଶୀଘ୍ର ଗସ୍ତ କରିବ। ଟିମ୍‌ର ଆକଳନ ପରେ ପରବର୍ତ୍ତୀ ସହାୟତା ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ମୋଦୀ ଓଡିଶା, ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡକୁ ଆଶ୍ବାସନା ଦେଇ କହିଛନ୍ତି ଏହି କଷ୍ଟ ସମୟରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ବାତ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ। ନିରବଚ୍ଛିନ୍ନ ଭାବେ ବିପର୍ଯ୍ୟୟର ବୈଜ୍ଞାନିକ ପରିଚାଳନା ପ୍ରତି ଧ୍ୟାନ କେନ୍ଦ୍ରୀଭୂତ କରିବାଲାଗି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ବାରୋପ କରିଥିଲେ। କହିଥିଲେ, ଆରବ ସାଗର ଓ ବଙ୍ଗୋପ ସାଗରରେ ସାଇକ୍ଲୋନିକ୍ ସିଷ୍ଟମ୍ ଗୁଡିକର ବୃଦ୍ଧି ହେଉଥିବାରୁ ଯୋଗାଯୋଗ ବ୍ୟବସ୍ଥା, ପ୍ରୟାସ ଉଦ୍ୟମ ତଥା ପ୍ରସ୍ତୁତିରେ ଏକ ବଡଧରଣର ପରିବର୍ତ୍ତନ କରିବାକୁ ପଡିବ। ଓଡିଶା ସରକାରଙ୍କର ପ୍ରସ୍ତୁତି ତଥା ବିପର୍ଯ୍ୟୟ ପରିଚାଳନା ଗତିବିଧିକୁ ସେ ପ୍ରଶଂସା କରିଥିଲେ। ରାଜ୍ୟ ସରକାରଙ୍କ ପ୍ରସ୍ତୁତି ତଥା ବିପର୍ଯ୍ୟୟ ପରିଚାଳନା ଫଳସ୍ବରୁପ ନ୍ୟୂନତମ ଜୀବନହାନୀ ଘଟୁଛି ବୋଲି ସେ କହିଥିଲେ।

ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିପୂର୍ବରୁ ୨୦୧୯ର ଫନି ବାତ୍ୟା ପରେ ଓଡିଶା ଗସ୍ତ କରି ବାତ୍ୟା ମୁକାବିଲା ପାଇଁ ୧ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଘୋଷଣା କରିଥିଲେ। ଗତବର୍ଷ ଅମ୍ପାନ ବାତ୍ୟା ପରେ ମୋଦୀ ଓଡିଶା ଗସ୍ତକରି ଓଡିଶାକୁ ୫୦୦ କୋଟିଟଙ୍କାର ତତ୍କାଳ ସହାୟତା ଘୋଷଣା କରିଥିଲେ।

ଏଠାରେ ଉଲ୍ଲେଖଥାଉକି, କେନ୍ଦ୍ର ସରକାରଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଓଡ଼ିଶା ସରକାରଙ୍କ ପାଖରେ ୧୧୯୪ କୋଟି ଟଙ୍କା ଥିଲା। ନିକଟରେ କେନ୍ଦ୍ର ସରକାର ଆଉ ୬୪୧ କୋଟି ଟଙ୍କା ପ୍ରଦାନ କରିଛନ୍ତି, ଏଥିରେ ରାଜ୍ୟ ଅଂଶ ପରିମାଣ ୧୨୪ କୋଟି ଟଙ୍କା ରହିଛି। ଏହିପରି ଭାବେ ରାଜ୍ୟ ପାଖରେ ପାଖାପାଖି ୧୮ଶହ କୋଟିରୁ ଅଧିକ ଟଙ୍କା ଥିବ। ଯେଉଁଥିରେ କୋଭିଡ୍ ପରିଚାଳନା ଓ ବାତ୍ୟା ମୁକାବିଲା ସରକାର କରିବେ।

ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ ଅନୁସାରେ, ୨୦୨୧-୨୨ରୁ ୨୦୨୫-୨୬ ମଧ୍ୟରେ ୧ ଲକ୍ଷ ୨୮ ହଜାର ୧୨୨ କୋଟି ଟଙ୍କା ବିପର୍ଯ୍ୟୟ ପରିଚାଳନା ବାବଦରେ ରଖାଯାଇଛି। ଚତୁର୍ଦଶ ଅର୍ଥ କମିସନ ତୁଳନାରେ ଏହା ୧୦୯ ପ୍ରତିଶତ ଅଧିକ। ସେବେ ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ୬୧ ହଜାର ୨୨୦ କୋଟି ଟଙ୍କା ରଖାଯାଇଥିଲା। ଏହା ବାଦ୍ କେନ୍ଦ୍ର ସରକାର ଅତିରିକ୍ତ ୩୨ ହଜାର ୩୧ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର