ବିଜେପି ରଣନୀତି କାର୍ଯ୍ୟକାରୀ କରିିବେ ଶାହ

ଗୃହ ମନ୍ତ୍ରାଳୟ ପାଇଁ ଶାହଙ୍କୁ କାହିଁକି ପସନ୍ଦ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜ ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ କରିଛନ୍ତି । ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଗୃହ ମନ୍ତ୍ରାଳୟ ଦାୟିତ୍ବ ଦିଆଯାଇଥିବାରୁ ଏଥର ସରକାରରେ ତାଙ୍କର ସ୍ଥିତି ଦ୍ବିତୀୟ ସ୍ଥାନରେ ରହିଛି। ଅମିତ ଶାହ ଗୃହ ମନ୍ତ୍ରୀ ହେବା ସହିତ ତାଙ୍କର ପ୍ରାଥମିକତାଗୁଡ଼ିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ବିଶେଷ କରି ଜମ୍ମୁ କଶ୍ମୀରରେ ଧାରା ୩୭୦ ଏବଂ ଧାରା ୩୫-ଏକୁ ନେଇ ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ ଏବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ବିଜେପି ଲଗାତାର ଏହି ଦୁଇ ଧାରାକୁ ହଟାଇବା ପାଇଁ ଗୁରୁତ୍ବ ଦେଇଆସିଛି। ଏବେ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଅଧିକ କଠୋର ହେବ ବୋଲି ଜଣାପଡ଼ିଛି। ଲୋକସଭା ନିର୍ବାଚନରେ ବିଜେପି ଜମ୍ମୁ କଶ୍ମୀରରେ ୩ଟି ଆସନରେ ବିଜୟୀ ହୋଇଛି ।

ଅମିତ ଶାହ ଗୃହମନ୍ତ୍ରୀ ହୋଇଥିବାରୁ ଏବେ ପଶ୍ଚିମବଂଗର ରାଜନୈତିକ ସ୍ଥିତି ଉପରେ ସମସ୍ତଙ୍କ ନଜର ରହିଛି। ବିଶେଷ କରି ବିଜେପି ଏବଂ ମମତା ବାନାର୍ଜୀଙ୍କ ଟିଏମ୍‌ସି ମଧ୍ୟରେ ସଂପର୍କ ଅତି ମାତ୍ରାରେ ତିକ୍ତ ରହିଥିବାରୁ ଶାହଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହାକୁ ଅପେକ୍ଷା କରାଯାଇଛି। ପଶ୍ଚିମବଂଗରେ ଆଇନଶୃଙ୍ଖଳା ସ୍ଥିତି ନେଇ ବିଜେପି ଲଗାତାର ଉଦ୍‌ବେଗ ପ୍ରକାଶ କରି ଆସିଥିବା ବେଳେ ସେଠାରେ ରାଜନୈତିକ ହିଂସା ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ହୋଇଛି । ଶାହଙ୍କୁ ଗୃହ ମନ୍ତ୍ରାଳୟ ଦାୟିତ୍ବ ମିଳିବା ପରେ ପ୍ରଧାନମନ୍ତ୍ରୀଙ୍କ ପରେ ସେ ଦ୍ବିତୀୟ ଶକ୍ତିଶାଳୀ ମନ୍ତ୍ରୀ ରହିବେ ଏବଂ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ସମୟରେ ତାଙ୍କ ହାତରେ ଦେଶର ନିୟନ୍ତ୍ରଣ ରହିବ। ଶାହଙ୍କ ଉପସ୍ଥିତିରେ ସରକାରକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ତାଙ୍କୁ ଗୃହ ମନ୍ତ୍ରାଳୟ ଦାୟିତ୍ବ ଦେଇ ମୋଦୀ ସୁଚିନ୍ତିତ ରଣନୀତି ଆପଣାଇଛନ୍ତି।

ସମ୍ବନ୍ଧିତ ଖବର