ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ଭାରତ ଉପରେ ଅତିରିକ୍ତ ଶୁଳ୍କ ଲଦି ଦିଆଯିବା ପରେ ଏହି   ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ନିଜର ସ୍ବାର୍ଥକୁ ଗୁରୁତ୍ବ ଦେବ ଏବଂ ଦେଶର କୃଷକଙ୍କୁ ସୁରକ୍ଷା ଦେବାରେ କୌଣସି  ସାଲିସ କରିବନାହିଁ। ଏମ୍‌ଏସ୍‌ ସ୍ୱାମୀନାଥନ୍‌ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି,  ଦେଶର କୃଷକମାନଙ୍କ ସହିତ ମୁଁ ସର୍ବଦା ଦୃଢ଼ତାର ସହ ରହିଛି ଏବଂ କୃଷକଙ୍କ ସ୍ବାର୍ଥ ରକ୍ଷା ଆମ ପାଇଁ ସର୍ବୋଚ୍ଚ ପ୍ରାଥମିକତା। ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଭାରତ କେବେ ବି ଚାଷୀ, ମତ୍ସ୍ୟଜୀବୀ ଏବଂ ଦୁଗ୍ଧଚାଷୀଙ୍କ ସ୍ୱାର୍ଥ ସହିତ ସାଲିସ କରିବ ନାହିଁ। ମୋଦୀ କହିଛନ୍ତି- ‘ମୋତେ ବ୍ୟକ୍ତିଗତ ଭାବେ ଏଥିପାଇଁ ଭାରୀ ମୂଲ୍ୟ ଦେବାକୁ ପଡିବ ଏବଂ ଯେ କୌଣସି ମୂଲ୍ୟ ଦେବା ପାଇଁ ମୁଁ ପ୍ରସ୍ତୁତ।’ 

Advertisment

ସୂଚନାଯୋଗ୍ୟ, ଟ୍ରମ୍ପ ଆମେରିକାର କୃଷିଜାତ ସାମଗ୍ରୀ, ଗୋଖାଦ୍ୟ ଓ ଦୁଗ୍ଧଜାତ ସାମଗ୍ରୀ ଭାରତୀୟ ବଜାରରେ ବିକ୍ରି ହେବାକୁ ଚାହୁଥିବାରୁ ଭାରତ ଏହାର ଦୃଢ଼ ବିରୋଧ କରିଛି ଓ ଆମେରିକାର ସର୍ତ୍ତରେ ରାଜି ହୋଇନାହିଁ। ଏହି ପରିପ୍ରେକ୍ଷୀରେ ଶୁଳ୍କ ଲଦାଯିବା ପ୍ରସଙ୍ଗରେ ଟ୍ରମ୍ପଙ୍କ ନାମ ନ ନେଇ ପ୍ରଧାନମନ୍ତ୍ରୀ ଆମେରିକାକୁ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବା ପରେ ଭାରତ ଏବେ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଟ୍ରମ୍ପ ଲଦିଥିବା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଅଗଷ୍ଟ ୨୮ ତାରିଖରୁ କାର୍ଯ୍ୟକାରୀ ହେବ। ଉଲ୍ଲେଖଯୋଗ୍ୟ, ଭାରତ ରୁଷ୍‌ଠାରୁ ତୈଳ ଓ ସାମରିକ ଅସ୍ତ୍ର କିଣିବାକୁ ବିରୋଧ କରି ଆମେରିକା ଭାରତ ଉପରେ ଏହି ଶୁଳ୍କ ଲଗାଇଛି।  କିଛିଦିନ ପୂର୍ବରୁ ଟ୍ରମ୍ପ ଭାରତକୁ ବନ୍ଧୁ ବୋଲି କହିବା ସହିତ ରୁଷ୍‌ ସହ ସମ୍ପର୍କ ପାଇଁ ଭାରତକୁ ‘ଦଣ୍ଡ’ ବିଷୟରେ ଚେତାବନୀ ଦେଇଥିଲେ। ଆମେରିକା ରାଷ୍ଟ୍ରପତି ଆଗାମୀ ଦିନରେ ‘ନୂଆ କଟକଣା’ ବିଷୟରେ ମଧ୍ୟ ଚେତାବନୀ ଦେଇଛନ୍ତି। ତେବେ ଟ୍ରମ୍ପଙ୍କ ଅତିରିକ୍ତ ଶୁଳ୍କ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଭାରତ ସରକାର ଶୁଳ୍କକୁ ‘ଅନ୍ୟାୟ, ଅନୁଚିତ ଏବଂ ଅଯୌକ୍ତିକ’ ବୋଲି କହିଛନ୍ତି ଏବଂ ‘ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯିବ’ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଟ୍ରମ୍ପଙ୍କ ଶୁଳ୍କ ଆକ୍ରମଣ ପାଇଁ ଆମେରିକା-ଭାରତର ସମ୍ପର୍କ ସାମ୍ପ୍ରତିକ ବର୍ଷ ମଧ୍ୟରେ ସବୁଠାରୁ ନିମ୍ନ ସ୍ତରରେ ପହଞ୍ଚିଛି।