ଏଣିକି ସର୍ବସାଧାରଣରେ ଧୂମପାନ ମହଙ୍ଗା ହେଲା, ୨୦୦ ବଦଳରେ ୧୦୦୦ ଜରିମାନା

ନୂଆଦିଲ୍ଲୀ: ଧୁମପାନ ସ୍ୱାସ୍ଥ୍ୟପକ୍ଷେ ଅତ୍ୟନ୍ତ ହାନିକାରକ ଅଟେ। ଏହା ଜାଣିବା ସତ୍ୱେ ମଧ୍ୟ ଧୁମପାନ ନିଶାରେ କବଳିତ ହେଉଛନ୍ତି ଯୁବ ସମାଜ। ସବୁଠାରୁ ବଡ କଥା ହେଉଛି, ଅନେକ ଲୋକ ସର୍ବସାଧାରଣରେ ମଧ୍ୟ ଧୁମପାନ କରିଥାନ୍ତି। ଯାହାକି ଆଇନ୍‌ ଅନୁଯାୟୀ ଏକ ଅପରାଧ। ଆଉ ଏଥିପାଇଁ ପୂର୍ବରୁ ଦଣ୍ଡବିଧାନ ବି ରଖାଯାଇଛି। କିନ୍ତୁ ନିୟମ ବାଟବଣା ହୋଇଥିବା ବେଳେ ଅନେକ ଲୋକ ବେଫିକର ସର୍ବସାଧାରଣରେ ଧୁମପାନ କରୁଛନ୍ତି।

କିନ୍ତୁ ଏଣିକି ଏ ଦିଗରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। ସର୍ବସାଧାରଣ ସ୍ଥାନରେ ଧୁମପାନ କରିବା ଏଣିକି ମହଙ୍ଗା ପଡ଼ିବ। ଧରାପଡ଼ିଲେ ଦେବାକୁ ହେବ ଜରିମାନା। ଜାତୀୟ ଗଣମାଧ୍ୟମରୁ ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ, ସର୍ବସାଧାରଣରେ ଧୁମପାନ ନିଷେଧ କରିବା ପାଇଁ କୋଟପା ଆକ୍ଟରେ ପରିବର୍ତ୍ତନ କରିବାର ପ୍ରସ୍ତୁତି କରୁଛନ୍ତି ସରକାର। ପୂର୍ବରୁ ସର୍ବସାଧାରଣରେ ଧୁମପାନ କରି ଧରାପଡ଼ିଲେ କୋଟପା ଆକ୍ଟ ଅନୁଯାୟୀ, ୨୦୦ଟଙ୍କା ଜୋରିମାନା ଦେବାର ନିୟମ ରହିଥିଲା। ଆଉ ଏହି ଆକ୍ଟରେ ପରିବର୍ତ୍ତନ ହେଲେ, ଜୋରିମାନାର ରାଶି ୧୦୦୦ ଟଙ୍କାରୁ ଅଧିକ ହୋଇପାରେ।

ସର୍ବସାଧାରଣ ସ୍ଥାନରେ ଧୁମପାନ କରିବା ଏଣିକି ପଡ଼ିବ ଅଧିକ ମହଙ୍ଗା। କେବଳ ଏତିକି ନୁହେଁ, ନାବାଳକ କିମ୍ବା ନାବାଳିକାଙ୍କୁ ତମାଖୁ ଉତ୍ପାଦନ ବିକ୍ରି କଲେ ମଧ୍ୟ ଉକ୍ତ ବ୍ୟବସାୟୀଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ହେବ। ଏହା ସହ ଶିକ୍ଷାନୁଷ୍ଠାନ ଆଖପାଖରେ ତମାଖୁ ଜାତୀୟ ସାମଗ୍ରୀ ବିକ୍ରି କଲେ ମଧ୍ୟ ଜରିମାନା ଦେବାକୁ ହେବ। ଏହା ସହ ସ୍କୁଲ କିମ୍ବା କଲେଜ୍‌ ପରିସରର ୧୦୦ ମିଟର ଦୂରତା ଭିତରେ ମଧ୍ୟ ତମାଖୁ ସାମଗ୍ରୀ ବିକ୍ରି କରାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

thelocal.se

ଗତ କିଛି ବର୍ଷ ମଧ୍ୟରେ ସର୍ବସାଧାରଣରେ ଧୁମପାନ କରିବା କାରଣରୁ ୫ କୋଟି ଟଙ୍କା ଜୋରିମାନା ଆଦାୟ କରିଛନ୍ତି ସରକାର। ଆଉ କୋଟପା ଆକ୍ଟ ଅନୁଯାୟୀ, ଜୋରିମାନା ଆଦାୟ କରିବାରେ ତାମିଲନାଡୁ ସବୁଠୁ ଆଗରେ ରହିଛି। ଆଉ ଏହି କ୍ରମରେ ଜୋରିମାନା ଆଦାୟ କରିବାରେ ଗୁଜୁରାଟ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ଅନ୍ୟ ସବୁ ରାଜ୍ୟ ଗୁଡିକରେ ମଧ୍ୟ ଏ ଦିଗରେ ସଚେତନ ହେବା ପାଇଁ ସରକାର ଖୁବଶୀଘ୍ର କୋଟପା ଆଇନରେ ପରିବର୍ତ୍ତନ କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର