ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାରରେ ବଡ଼ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି। ଏଥି ପାଇଁ ସେ ପବ୍ଲିକ ଓ ପ୍ରାଇଭେଟ ସେକଟରରେ କାର୍ଯ୍ୟରତ ପ୍ରତିଭାଙ୍କୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ସରକାର ଲେଟରାଲ ଏଣ୍ଟ୍ରୀ ମାଧ୍ୟମରେ ୧୦ଟି ଯୁଗ୍ମ ସଚିବ ପଦ ପାଇଁ ଅଧିସୂଚନା ଜାରି କରି ଆବେଦନ ଆମନ୍ତ୍ରଣ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଲୋକ ସେବା ଆୟୋଗଙ୍କ ପକ୍ଷରୁ ଆୟୋଜିତ ହେବାକୁ ଥିବା ସିଭିଲ ପରୀକ୍ଷା ପାସ କରି ନଥିଲେ ମଧ୍ୟ ଗ୍ରାଜୁଏଟ୍ ପାଠ ପଢ଼ିଥିବା ପ୍ରାର୍ଥୀ ସରକାରଙ୍କ ବରିଷ୍ଠ ଅଧିକାରୀ ପଦରେ ବସିପାରିବେ।
Sambad is now on WhatsApp
Join and get latest news updates delivered to you via WhatsApp
କିଏ କରିପାରିବେ ଆବେଦନ
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଅଧିସୂଚନା ଅନୁସାରେ ଯେଉଁ ପ୍ରାର୍ଥୀଙ୍କୁ ଜୁଲାଇ ୧ ପର୍ଯ୍ୟନ୍ତ ୪୦ ବର୍ଷ ହୋଇଥିବ ଓ ମଞ୍ଜୁରୀ ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ କରିଥିବେ, ସେହି ପ୍ରାର୍ଥୀମାନେ ଆବେଦନ କରି ପାରିବେ। ପ୍ରାର୍ଥୀଙ୍କ ସରକାରୀ, ପବ୍ଲିକ ସେକ୍ଟର ୟୁନିଟ, ଓ ପ୍ରାଇଭେଟ କମ୍ପାନୀରେ ୧୫ ବର୍ଷ କାମ କରିଥିବା ଅଭିଜ୍ଞତା ଥିବା ଦରକାର।
କେତେ ଦିନ ପର୍ଯ୍ୟନ୍ତ ନିଯୁକ୍ତି
ଏହି ପଦ ପାଇଁ ଚୟନ ହେବାକୁ ଥିବା ପ୍ରାର୍ଥୀଙ୍କ ନିଯୁକ୍ତି ୩ ବର୍ଷ ପାଇଁ କିନ୍ତୁ ସରକାର ଏହି ଅନୁବନ୍ଧକୁ ୫ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ପାରନ୍ତି।
ଏମିତି ହେବ ଦରମା
ମୋଦି ସରକାର ଏହି ପଦ ପାଇଁ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ୧.୪୪ ଲକ୍ଷରୁ ୨.୧୮ ଲକ୍ଷ ମାସିକ ଦରମା ଦେବେ। ଏଥି ସହିତ ପ୍ରାର୍ଥୀମାନେ ଦରମା ସହିତ ଅନେକ ଭତ୍ତା ଓ ସୁବିଧା ପାଇବେ।
କେଉଁ ବିଭାଗରେ ସଚିବ କରିବେ କାମ
୧୦ଟି ମନ୍ତ୍ରାଳୟରେ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ମିଳିବ। ଏଥିରେ ଅର୍ଥ, କୃଷି, ସଡକ ପରିବହନ, ସିପିଙ୍ଗ, ପରିବେଶ ଓ ବନ, ବେସାମରିକ ଓ ବାଣିଜ୍ୟ ମନ୍ତ୍ରାଳୟ ସାମିଲ ଅଛି।
କେମିତି ହେବ ଚୟନ
ଏହି ପଦ ପାଇଁ ପ୍ରାର୍ଥୀଙ୍କର ସାକ୍ଷାତକାର ନିଆଯିବ। କ୍ୟାବିନେଟ ସେକ୍ରେଟାରୀଙ୍କ ନେତୃତ୍ୱରେ ଗଠିତ ହେବାକୁ ଥିବା କମିଟି ସାକ୍ଷାତକାର ନେବ। ୨୦୧୮ ଜୁଲାଇ ୩୦ ହେଉଛି ଆବେଦନର ଅନ୍ତିମ ତିଥି।