ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଦାବି କରିଛନ୍ତି ଯେ ଗତ ମାସରେ କ୍ଷମତାକୁ ଆସିଥିବା ନରେନ୍ଦ୍ର ମୋଦୀ ସରକାରର ପତନ ଅଗଷ୍ଟ ସୁଦ୍ଧା ହୋଇପାରେ। ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତାକୁ ଆସିଥିଲେ ମଧ୍ୟ ବିଜେପି ଏକାକୀ ମ୍ୟାଜିକ୍‌ ନମ୍ବର ୨୭୨ ହାସଲ କରିବାକୁ ଅସମର୍ଥ ହୋଇଛି ଏବଂ ଏହାଠାରୁ ଯଥେଷ୍ଟ ଦୂରରେ ରହିଛି। ୩୦୦ରୁ ଅଧିକ ଆସନ ହାସଲ କରିବାକୁ ଆଶା ରଖିଥିବା ବିଜେପି ୨୪୦ ଆସନରେ ସୀମିତ ରହିଥିବା ବେଳେ ମେଣ୍ଟ ସରକାର ଏବେ ଦୁଇ ପ୍ରମୁଖ ସହଯୋଗୀ ଟିଡିପି ଏବଂ‌ ଜେଡିୟୁ ଭରସାରେ ଚାଲିଛି।

Advertisment

ଲାଲୁ ଯାଦବ ଦାବି କରିଛନ୍ତି ଯେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଅତ୍ୟନ୍ତ ଦୁର୍ବଳ ଏବଂ ଏହାର କୌଣସି ସ୍ଥାୟିତ୍ବ ନାହିଁ। ଲାଲୁ କହିଛନ୍ତି, ମୁଁ ସମସ୍ତ ଦଳୀୟ କର୍ମୀଙ୍କୁ ନିବେଦନ କରୁଛି ଯେ ସେମାନେ ପ୍ରସ୍ତୁତ ରୁହନ୍ତୁ, କାରଣ ଯେକୌଣସି ସମୟରେ ନିର୍ବାଚନ ହୋଇପାରେ। ଦିଲ୍ଲୀରେ ମୋଦୀଙ୍କ ସରକାର ଅତ୍ୟନ୍ତ ଦୁର୍ବଳ ଏବଂ ଅଗଷ୍ଟ ସୁଦ୍ଧା ଏହାର ପତନ ଘଟିପାରେ ବୋଲି ସଙ୍କେତ ମିଳିଥିବା ଲାଲୁ କହିଛନ୍ତି। ଶୁକ୍ରବାର ରାଷ୍ଟ୍ରୀୟ ଜନତା ଦଳର ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ଲାଲୁ ଏହି ମନ୍ତବ୍ୟ ଦେଇଛନ୍ତି। ଅନ୍ୟପକ୍ଷରେ ଲାଲୁ ଯାଦବଙ୍କ ପୁଅ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି ଯେ ଯଦି ତାଙ୍କୁ ଦଳର ନେତୃତ୍ୱ ନେବାକୁ ଚୟନ କରାଯାଏ ତା’ହେଲେ ସେ ଏହି ଗୁରୁଦାୟିତ୍ବ ନେବାକୁ ପଛଘୁଞ୍ଚା ଦେବେ ନାହିଁ।