ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଶ୍ୱେତପତ୍ର ଉପସ୍ଥାପନ କରିଛନ୍ତି। ୟୁପିଏ ସରକାର ସମୟରେ ଦେଶର ଆର୍ଥିକ ସ୍ଥିତି ଏବଂ ଏବେର ଆର୍ଥିକ ସ୍ଥିତି ବାବଦରେ ସୀତାରମଣ ସଫେଇ ରଖିଛନ୍ତି । ୟୁପିଏ ସରକାର ବେଳେ ଅର୍ଥନୈତିକ ଅବ୍ୟବସ୍ଥା ଓ ବ୍ୟାପକ ଦୁର୍ନୀତି ହୋଇଥିଲା । ଆର୍ଥିକସ୍ଥିତ ଏକ ସଙ୍କଟଜନକ ପରିସ୍ଥିତି ଥିଲା। ବର୍ତ୍ତମାନ ଆମେ ଅର୍ଥନୀତିକୁ ସ୍ଥିର କରିଛୁ ଏବଂ ଏହାକୁ ପୁନରୁଦ୍ଧାର ଏବଂ ଅଭିବୃଦ୍ଧି ପଥରେ ସ୍ଥାପିତ କରିଛୁ ବୋଲି ସୀତାରମଣ କହିଛନ୍ତି । ତେଣୁ ୟୁପିଏ ସରକାରଙ୍କ ଉତ୍ତରାଧିକାରୀ ଭାବରେ ଛାଡି ଯାଇଥିବା ଅସମ୍ଭବ ଆହ୍ୱାନଗୁଡ଼ିକୁ ସାର୍ବଜନୀନ କରିବା ଜରୁରୀ ବୋଲି ସେ କହିଛନ୍ତି ।

Advertisment

୨୦୧୪ରେ ମୋଦୀ କ୍ଷମତାକୁ ଆସିବା ବେଳେ ଦେଶର ଆର୍ଥିକ ସ୍ଥିତି ଖରାପ ନୁହଁ ବରଂ ସଙ୍କଟରେ ଥିଲା ବୋଲି ସୀତାରମଣ କହିଛନ୍ତି । ସେହିପରି ସେତେବେଳେ ୫ ଆର୍ଥିକ ଦୁର୍ବଳ ଦେଶ ମଧ୍ୟରେ ଥିଲା ଭାରତ । ଏବେ ଆମ ଦେଶ ଦୁନିଆର ୫ ଶୀର୍ଷ ଅର୍ଥବ୍ୟବସ୍ଥାରେ ଥିବା ଦେଶ ବୋଲି ସେ କହିଛନ୍ତି । ୟୁପିଏ ସରକାର ବେଳେ ଦେଖାଦେଇଥିବା ଦୂରାବସ୍ଥା ଏହି ବର୍ଷଗୁଡ଼ିକରେ ସୁଧାର କରାଯାଇ ସମସ୍ୟା ଦୂର ହୋଇଛି । ବିଗତ ବର୍ଷର ସନ୍ଦେହ ଓ ଅସ୍ଥିରତାକୁ ଆତ୍ମବିଶ୍ୱାସରେ ବଦଳାଇ ଦିଆଯାଇଛି ବୋଲି ସୀତାରମଣ କହିଛନ୍ତି ।

ଅନ୍ୟପଟେ ମୋଦୀ ସରକାରଙ୍କ ଶ୍ୱେତପତ୍ରକୁ କଟାକ୍ଷ କରିଛି ବିରୋଧୀ କଂଗେସ । କଂଗ୍ରେସ କହିଛି, ମୋଦୀ ସରକାରଙ୍କ ସମୟ ହେଉଛି ସବୁଠୁ ଅନ୍ୟାୟର ସମୟ । ଏଥିରେ ଦେଶର କ’ଣ ଲାଭ ହୋଇଛି ଏବଂ ଦେଶର କେତେ ଯୁବକଯୁବତୀଙ୍କୁ ଚାକିରି ମିଳିଛି ବୋଲି ହିସାବ ମାଗିଛି କଂଗ୍ରେସ ।