ମୋଦୀ ସରକାର-୨; ଶପଥ ନେଲେ ୫୭: ୨୪ କ୍ୟାବିନେଟ୍‌, ୯ ସ୍ବାଧୀନ, ୨୪ ରାଷ୍ଟ୍ରମନ୍ତ୍ରୀ

ନରେନ୍ଦ୍ର ମୋଦୀ ପୁଣି ପ୍ରଧାନମନ୍ତ୍ରୀ, ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ଅମିତ ଶାହ, ରାଜନାଥ, ଗଡ଼କରୀ, ସ୍ମୃତି ଇରାନି ରହିଲେ, ବାଦ ପଡ଼ିଲେ ସୁଷମା, ମେନକା, ଜୁଏଲ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୋଦୀଙ୍କ ସହିତ ୨୪ ଜଣ କ୍ୟାବିନେଟ୍‌ ମନ୍ତ୍ରୀ, ୯ ଜଣ ସ୍ବାଧୀନ ରାଷ୍ଟ୍ରମନ୍ତ୍ରୀ ଏବଂ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ରାଷ୍ଟ୍ରପତି ଭବନରେ ୮ ହଜାର ଅତିଥିଙ୍କ ଉପସ୍ଥିତିରେ ଅନୁଷ୍ଠିତ ଭବ୍ୟ ଶପଥ ଗ୍ରହଣ ଉତ୍ସବ ଆଜି ସନ୍ଧ୍ୟା ୭ଟାରୁ ରାତି ସାଢ଼େ ୯ ପର୍ଯ୍ୟନ୍ତ ଚାଲିଥିଲା। ବରିଷ୍ଠ ବିଜେପି ନେତା ରାଜନାଥ ସିଂହ, ବିଜେପି ସଭାପତି ଅମିତ ଶାହ, ନୀତିନ ଗଡ଼କରୀ, ପୀୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ପ୍ରକାଶ ଜାଭଡେକର, ଗତ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଥିବା ନିର୍ମଳା ସୀତାରମଣ, ଏନ୍‌ଡିଏର ସହଯୋଗୀ ଦଳ ଏଲ୍‌ଜେପି ସୁପ୍ରିମୋ ରାମବିଳାସ ପାଶ୍ବାନ, ନରେନ୍ଦ୍ର ସିଂହ ତୋମର, ପାଟନା ସାହିବରୁ ବିଜୟୀ ହୋଇଥିବା ରବିଶଙ୍କର ପ୍ରସାଦଙ୍କ ସମେତ ୨୪ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବାଲେଶ୍ବର ଆସନରୁ ବିଜୟୀ ହୋଇଥିବା ପ୍ରତାପ ଷଡ଼ଙ୍ଗୀ ଆଜି ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଶପଥ ଗ୍ରହଣ କରିଥିବା ମନ୍ତ୍ରୀଙ୍କ ମଧ୍ୟରୁ ୫୪ ଜଣ ବିଜେପିରୁ ଥିବା ବେଳେ ଶିରୋମଣି ଅକାଳି ଦଳ, ଶିବସେନା ଏବଂ ଆର୍‌ପିଆଇ(ଏ)ରୁ ଜଣେ ଲେଖାଏଁ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ଉତ୍ତର ପ୍ରଦେଶରୁ ୯ ଜଣ, ମହାରାଷ୍ଟ୍ରରୁ ୫ ଜଣ, କର୍ଣ୍ଣାଟକରୁ ୪ ଜଣ, ଗୁଜରାଟ, ହରିୟାଣା, ରାଜସ୍ଥାନରୁ ୩ ଜଣ ଲେଖାଏଁ ମନ୍ତ୍ରୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ୬ ଜଣ ମହିଳା ମନ୍ତ୍ରୀ ରହିଛନ୍ତି। ପୂର୍ବ ବିଦେଶ ସଚିବ ଏସ୍‌. ଜୟଶଙ୍କର କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଭାରତ-ଚୀନ୍‌ ଡୋକଲାମ ବିବାଦର ସମାଧାନ ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ଜୟଶଙ୍କର ଆମେରିକାରେ ଭାରତର ରାଷ୍ଟ୍ରଦୂତ ମଧ୍ୟ ରହିଥିଲେ।

ଆଜି ପ୍ରଧାନମନ୍ତ୍ରୀଙ୍କ ପରେ ରାଜନାଥ ସିଂହ ଏବଂ ଏହାପରେ ଅମିତ ଶାହ ଶପଥ ନେଇଥିଲେ। ମୋଦୀ ସରକାରରେ ଚତୁର୍ଥ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ନୀତିନ ଗଡ଼କରୀ। ଅକାଳି ଦଳରୁ ହରସିମ୍ରନ କୌର କ୍ୟବିନେଟ୍‌ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। କୌର ଗତ ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ। ଗତ ସରକାରରେ ସାମାଜିକ କଲ୍ୟାଣ ମନ୍ତ୍ରୀ ଥିବା ବିଜେପିର ପ୍ରମୁଖ ଦଳିତ ନେତା ଥାୱର ଚନ୍ଦ ଗେହଲଟ ମଧ୍ୟ ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ଆମେଥି ଆସନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରିଥିବା ସ୍ମୃତି ଇରାନିଙ୍କୁ ଏଥର ମଧ୍ୟ ମୋଦୀ କ୍ୟାବିନେଟ୍‌ରେ ସାମିଲ କରାଯାଇଛି।

ବିଜେପିର ଜଣାଶୁଣା ମୁସ୍‌ଲିମ ଚେହେରା ମୁଖ୍‌ତାର ଅବ୍ବାସ ନକ୍‌ଭୀ ମଧ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଗତ ସରକାରରେ ସେ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ରହିଥିଲେ। ନକ୍‌ଭୀ ଲୋକସଭା ନିର୍ବାଚନ ଲଢ଼ିନାହାନ୍ତି। ୟୁପିରେ ଏସ୍‌ପି-ବିଏସ୍‌ପି ମହାମେଣ୍ଟକୁ ଟକ୍କର ଦେଇ ଦଳ ପାଇଁ ବିଜୟ ଆଣିଥିବା ୟୁପି ବିଜେପି ଅଧ୍ୟକ୍ଷ ମହେନ୍ଦ୍ର ନାଥ ପାଣ୍ଡେ ମଧ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏନ୍‌ଡିଏର ସହଯୋଗୀ ଦଳ ଶିବସେନାରୁ ବରିଷ୍ଠ ନେତା ଅରବିନ୍ଦ ସାୱନ୍ତ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେ ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ମିଲିନ୍ଦ ଦେୱରାଙ୍କୁ ପରାସ୍ତ କରିଥିଲେ। ବିହାରର ବେଗୁସରାଇରୁ ନିର୍ବାଚନ ଜିତିଥିବା ବିଜେପିର ଉଗ୍ର ହିନ୍ଦୁବାଦୀ ନେତା ଗିରିରାଜ ସିଂହ ମଧ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଗତ ସରକାରରେ ଗୃହ ରାଜ୍ୟମନ୍ତ୍ରୀ ଥିବା ବିଜେପିର ଉତ୍ତର ପୂର୍ବାଞ୍ଚଳ ନେତା କିରଣ ରିଜ୍ଜୁ ଏଥର ରାଷ୍ଟ୍ର ମନ୍ତ୍ରୀ (ସ୍ବତନ୍ତ୍ର ଦାୟିତ୍ବ) ଭାବେ ଶପଥ ନେଇଛନ୍ତି। ବିଜେପିର ଯୁବ ସାଂସଦ ଅନୁରାଗ ସିଂହ ଠାକୁର, ଆସନସୋଲ ସାଂସଦ ବାବୁଲ ସୁପ୍ରିୟୋ, ଦଳିତ ନେତା ତଥା ରିପବ୍ଲିକାନ ପାର୍ଟି ଅଧ୍ୟକ୍ଷ ରାମଦାସ ଅଠାବଲେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ମୋଦୀଙ୍କ ନୂଆ ସରକାରରେ ମେନକା ଗାନ୍ଧୀଙ୍କୁ ସ୍ଥାନ ମିଳି ନାହିଁ। ତାଙ୍କୁ କାମଚଳା ବାଚସ୍ପତି କରାଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର