ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ ଏସ୍‌ ଜାଭେରୀଙ୍କ ବରିଷ୍ଠତାକୁ ଅଣଦେଖା; କେନ୍ଦ୍ର ସରକାର ଫେରାଇ ଦେଇ ପାରନ୍ତି କଲେଜିୟମ୍‌ର ସୁପାରିସ୍‌

ନୂଆଦିଲ୍ଲୀ: ଦେଶର ଚାରିଟି ରାଜ୍ୟ ହାଇକୋର୍ଟ- ପଞ୍ଜାବ ଓ ହରିୟାଣା, ରାଜସ୍ଥାନ, ହିମାଚଳ ପ୍ରଦେଶ ଓ କେରଳ-ର ମୁଖ୍ୟ ବିଚାରପତିମାନଙ୍କୁ ପଦୋନ୍ନତି ଦେଇ ସେମାନଙ୍କୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପ୍ରିମ୍‌ କୋର୍ଟର କଲେଜିୟମ କରିଥିବା ସୁପାରିସ୍‌କୁ କେନ୍ଦ୍ର ସରକାର ଅନୁମୋଦନ ନ ଦେଇ ଆଉଥରେ ପୁନର୍ବିଚାର ପାଇଁ କଲେଜିୟମ୍‌କୁ ଫେରାଇ ଦେବା ପାଇଁ ଚିନ୍ତା କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବା ପାଇଁ ମିଳିଛି। କଲେଜିୟମ୍‌ ପକ୍ଷରୁ କରା ଯାଇଥିବା ସୁପାରିସ୍‌ରେ ବିଚାରପତିଙ୍କ ବରିଷ୍ଠତା ଓ ଆଞ୍ଚଳିକ ପ୍ରତିନିଧିତ୍ୱକୁ କଲେଜିୟମ୍‌ ଅଣଦେଖା କରିଥିବା ଜାଣିବା ପରେ କେନ୍ଦ୍ର ସରକାର କଲେଜିୟମ୍‌ର ଏହି ସୁପାରିସ୍‌ ଉପରେ ନିଜର ଅସନ୍ତୋଷ ଜାହିର କରିଥିବା ଜାଣିବାକୁ ମିଳିଛି।

ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟରେ କେବଳ ମାତ୍ର ଆଞ୍ଚଳିକ ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦେବା ଲକ୍ଷ୍ୟରେ ମୋଦି ସରକାର ସୁପ୍ରିମ୍‌ କୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୦ରୁ ୩୩କୁ ବୃଦ୍ଧି କରିବା ପାଇଁ ଗତ ମାସରେ ନିଷ୍ପତ୍ତି ନେଇଥିଲେ। ହେଲେ, ସୁପ୍ରିମ୍‌ କୋର୍ଟର କଲେଜିୟମ୍‌ କରିଥିବା ସୁପାରିସ୍‌ରେ ସରକାରଙ୍କର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସାଧିତ ହୋଇପାରୁ ନାହିଁ।

ଅନ୍ୟ ପକ୍ଷରେ ସୁପାରିସ୍‌ କାଳରେ ବହୁ ବିଚାରପତିଙ୍କ ବରିଷ୍ଠତାକୁ ମଧ୍ୟ ସୁପ୍ରିମ୍‌ କୋର୍ଟର କଲେଜିୟମ୍‌ ସଂପୂର୍ଣ୍ଣ ରୂପେ ଅଣଦେଖା କରିଥିବା ନେଇ ଏବେ ବହୁ ଅଭିଯୋଗ କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚିଛି। ଏହି ତାଲିକାର ସର୍ବାଗ୍ରେ ରହିଛନ୍ତି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ ଏସ୍‌ ଜାଭେରୀ। ସର୍ବ ଭାରତୀୟ ସ୍ତରରେ ହାଇକୋର୍ଟ ବିଚାରପତିମାନଙ୍କର ବରିଷ୍ଠତା ତାଲିକାର ୭ ନମ୍ବର ସ୍ଥାନରେ ରହିଛନ୍ତି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ ଏସ୍‌ ଜାଭେରୀ। ପୁଣି ଜଷ୍ଟିସ୍‌ ଜାଭେରୀ ମୂଳତଃ ହେଉଛନ୍ତି ଗୁଜୁରାଟ ହାଇକୋର୍ଟର ବିଚାରପତି। ଏବେ ସୁପ୍ରିମ୍‌ କୋର୍ଟରେ ଗୁଜୁରାଟର କେବଳ ମାତ୍ର ଜଣେ ବିଚାରପତି ଏମ୍‌ ଆର୍‌ ଶାହା ରହିଥିବା ବେଳେ କଲେଜିୟମ କେଉଁ କାରଣ ପାଇଁ ଜଷ୍ଟିସ୍‌ ଜାଭେରୀଙ୍କୁ ଅଣଦେଖା କଲା ତାହା କେନ୍ଦ୍ର ସରକାର ଜାଣିପାରୁ ନାହାନ୍ତି। ଜଷ୍ଟସ୍‌ ଜାଭେରୀଙ୍କ ବରିଷ୍ଠତା ଓ ତାଙ୍କ ଆଞ୍ଚଳିକ ପ୍ରତିନିଧିତ୍ୱକୁ ଅଣଦେଖା କରି କଲେଜିୟମ ତାଙ୍କ ଠାରୁ କନିଷ୍ଠ ବିଚାରପତିଙ୍କୁ ସୁପ୍ରମ୍‌ କୋର୍ଟର ବିଚାରପତି ଭାବେ ପଦୋନ୍ନତି ଦେବାକୁ କରିଥିବା ସୁପାରିସ୍‌କୁ କେନ୍ଦ୍ର ସରକାର ଗ୍ରହଣ କରିପାରୁ ନଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର