ମୋଦୀ ମଲମ : ଏମ୍‌ଏସ୍‌ପି ବଢ଼ିଲା, କିନ୍ତୁ… ଧାନ କ୍ୱିଣ୍ଟାଲ ପିଛା ୨୦୦ ଟଙ୍କା ବଢ଼ିଲା

ସାଧାରଣ ଧାନ ୧୭୫୦, ଏ ଗ୍ରେଡ୍‌ ୧୭୯୦, ଓଡ଼ିଶାର ଦାବି ରହିଲାନି, ଚାଷୀଙ୍କ କ୍ଷତି କ୍ୱିଣ୍ଟାଲକୁ ୫୯୪

ଭୁବନେଶ୍ୱର/ନୂଆଦିଲ୍ଲୀ : କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କ୍ୱିଣ୍ଟାଲ ପିଛା ୧୭୫୦ ଟଙ୍କା (ପୂର୍ବ ବର୍ଷ ୧୨.୯% ଅଧିକ) ଧାର୍ଯ୍ୟ କରିଛନ୍ତି। ଏ ଗ୍ରେଡ୍‌ ଧାନ ପାଇଁ ଏହି ମୂଲ୍ୟ ୧୭୯୦ (ପୂର୍ବ ବର୍ଷ ତୁଳନାରେ ୧୧.୩୨% ଅଧିକ) ଧାର୍ଯ୍ୟ ହୋଇଛି। ୨୦୧୭-୧୮ ବର୍ଷରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୫୫୦ ଟଙ୍କା ଧାର୍ଯ୍ୟ ହୋଇଥିଲା। ସେହିଭଳି ଏ ଗ୍ରେଡ୍‌ ଧାନର ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୫୯୦ ଟଙ୍କା ସ୍ଥିର ହୋଇଥିଲା।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟିରେ ଏହି ନିଷ୍ପତ୍ତି ହୋଇଛି। ତେବେ ଉତ୍ପାଦନ ଖର୍ଚ୍ଚକୁ କ୍ୱିଣ୍ଟାଲ ପିଛା ୧୧୬୬ ଟଙ୍କାରେ ସୀମିତ ରଖିଛନ୍ତି। ସରକାର ଆଜି ଗଦ୍‌ଗଦ୍‌ ହୋଇ ଘୋଷଣା କରିଛନ୍ତି ଯେ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ମୁତାବକ ଉତ୍ପାଦନ ଖର୍ଚ୍ଚର ୧୫୦ ପ୍ରତିଶତ ଅଧିକ ଏମ୍‌ଏସ୍‌ପି ଧାର୍ଯ୍ୟ ହୋଇଛି। ୨୦୧୮-୧୯ ବଜେଟ୍‌ରେ ମଧ୍ୟ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ଘୋଷଣା କରିିଥିଲେ। କେନ୍ଦ୍ର ସରକାର ଏକଥା ବି କହିଛନ୍ତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଏକକାଳୀନ ୨୦୦ ଟଙ୍କା ବୃଦ୍ଧି କରାଯିବା ମଧ୍ୟ ଦୁଇ ଦଶନ୍ଧି ମଧ୍ୟରେ ଏକ ରେକର୍ଡ। ୨୦୧୨-୧୩ରେ ଉପା-୨ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଏକକାଳୀନ ୧୭୦ ଟଙ୍କା ବୃଦ୍ଧି କରିଥିଲେ। ଏଥିସହିତ କେନ୍ଦ୍ର ସରକାର ୧୪ଟି ଫସଲ କ୍ଷେତ୍ରରେ ସର୍ବନିମ୍ନ ସହାୟକ ମୂଲ୍ୟ ଆଜି ଘୋଷଣା କରିଛନ୍ତି।

ତେବେ କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଓଡ଼ିଶା ଭଳି ରାଜ୍ୟ ପାଇଁ ଘାତକ ସଦୃଶ ହୋଇଛି। ଓଡ଼ିଶାର ଚାଷୀ ଏହାକୁ କଟା ଘା’ରେ ଲୁଣ ବୋଲି ବର୍ଣ୍ଣନା କରୁଛନ୍ତି।

ରାଜ୍ୟ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୨୯୩୦ ଟଙ୍କା ଧାର୍ଯ୍ୟ କରିବା ଲାଗି କେନ୍ଦ୍ରକୁ ବହୁ ଆଗରୁ ସୁପାରିସ କରିଥିଲେ। ବିଧାନସଭାରେ ମଧ୍ୟ ଦଳମତ ନିର୍ବିଶେଷରେ ସବୁ ରାଜନୈତିକ ଦଳର ସର୍ବସମ୍ମତ ପ୍ରସ୍ତାବ ଆଧାରରେ ଏ ନେଇ କେନ୍ଦ୍ରକୁ ଅବଗତ କରାଯାଇଥିଲା। ହେଲେ ପ୍ରଧାନମନ୍ତ୍ରୀ ବିଧାନସଭା କମିଟିକୁ ଦେଖା କରିବା ଲାଗି ସମୟ ତ ଦେଲେ ନାହିଁ, ଓଡ଼ିଶାର ଦାବିକୁ ମଧ୍ୟ ବିଚାରକୁ ନିଆଗଲାନାହିଁ।

ଅନ୍ୟପଟରେ ୨୦୧୬ ମସିହାରେ ରାଜ୍ୟ ସରକାର ନିର୍ଣ୍ଣୟ କରିଥିବା ଧାନର କ୍ୱିଣ୍ଟାଲ ପ୍ରତି ଉତ୍ପାଦନ ଖର୍ଚ୍ଚକୁ ବିଚାରକୁ ନେଲେ ୨୦୧୮-୧୯ ବର୍ଷ ଲାଗି କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟ କ୍ଷେତ୍ରରେ ମଧ୍ୟ ଓଡ଼ିଶାର ଚାଷୀ କ୍ୱିଣ୍ଟାଲ ପ୍ରତି ୫୯୪ ଟଙ୍କା କ୍ଷତି ସହିବ। କାରଣ, ଓଡ଼ିଶାର ଚାଷୀ ଧାନ ଉତ୍ପାଦନ ଖର୍ଚ୍ଚ କ୍ୱିଣ୍ଟାଲ ପ୍ରତି ୨୩୪୪ ଟଙ୍କା ହେଉଛି ବୋଲି ୨୦୧୬ ମସିହାରେ ରାଜ୍ୟ ସରକାର କରିଥିବା ହିସାବ ସୂଚାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୃଷି ମୂଲ୍ୟ ଧାର୍ଯ୍ୟ ସଂକ୍ରାନ୍ତ କମିସନର ସୁପାରିସକୁ ବିରୋଧ କରିଥିଲେ। ୨୦୧୮-୧୯ବର୍ଷରେ ସାଧାରଣ ଧାନର ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୭୪୫ ଟଙ୍କା ଓ ଏ ଗ୍ରେଡ୍‌ ଧାନର ମୂଲ୍ୟ ୧୭୭୦ ଟଙ୍କା କରିବା ଲାଗି କମିସନ ସୁପାରିସ କରିଥିଲେ ଓ ଏ ସଂକ୍ରାନ୍ତରେ କେନ୍ଦ୍ର ଓଡ଼ିଶାକୁ ଗତ ମେ’ ମାସରେ ଅବଗତ କରି ମତାମତ ମଗାଯାଇଥିଲା। ମାତ୍ର ଓଡ଼ିଶା ଭଳି ରାଜ୍ୟର କୌଣସି ବିରୋଧ କେନ୍ଦ୍ର ଉପରେ ପଡିନାହିଁ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ଆଜି କଳା ରାଶିର ସର୍ବନିମ୍ନ ସହାୟକ ବା ସମର୍ଥନ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ସର୍ବାଧିକ ୧୮୨୭ ଟଙ୍କା (ପୂର୍ବରୁ କ୍ୱିଣ୍ଟାଲ ପ୍ରତି ୪୦୫୦ ଟଙ୍କା ଥିଲା) ବୃଦ୍ଧି କରାଯାଇଛି। ସେହିପରି ମୁଗର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୦୦ ଟଙ୍କା (ପୂର୍ବରୁ କ୍ୱିଣ୍ଟାଲ ପ୍ରତି ୫୫୭୫ ଟଙ୍କା ଥିଲା), ସୂର୍ଯ୍ୟମୁଖୀ ମଞ୍ଜିର ଏମ୍‌ଏସ୍‌ପି ୧୨୮୮ ଟଙ୍କା (ପୂର୍ବରୁ କ୍ୱିଣ୍ଟାଲ ପ୍ରତି ୪୧୦୦ ଟଙ୍କା ଥିଲା) ଏବଂ କପାର ଏମ୍‌ଏସ୍‌ପି କ୍ୱିଣ୍ଟାଲ ପ୍ରତି ୧୧୩୦ ଟଙ୍କା (ପୂର୍ବରୁ କ୍ୱିଣ୍ଟାଲ ପ୍ରତି ୪୦୨୦ ଟଙ୍କା ଥିଲା) ବୃଦ୍ଧି କରିଛନ୍ତି।

ସେହିଭଳି ଧାନ (ସାଧାରଣ)ର ଏମ୍‌ଏସ୍‌ପିରେ ୨୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ, ଯଅ (ହାଇବ୍ରିଡ)ରେ ୭୩୦ ଟଙ୍କା (ପୂର୍ବରୁ କ୍ୱିଣ୍ଟାଲ ପ୍ରତି ୧୭୦୦ ଟଙ୍କା ଥିଲା) ପ୍ରତି କ୍ୱିଣ୍ଟାଲ ଏବଂ ସୋରିଷରେ କ୍ୱିଣ୍ଟାଲ ପ୍ରତି ୯୯୭ ଟଙ୍କା (ପୂର୍ବରୁ କ୍ୱିଣ୍ଟାଲ ପ୍ରତି ୧୯୦୦ ଟଙ୍କା ଥିଲା) ବୃଦ୍ଧି କରାଯାଇଛି। ଗତବର୍ଷ ତୁଳନାରେ ଏମଏସପିରେ ସବୁଠୁ ଅଧିକ ବୃଦ୍ଧି ସୋରିଷରେ (୫୨.୪୭%) କରାଯାଇଛି। ଏହାପରେ ଦ୍ୱିତୀୟ ସ୍ଥାନରେ ଯଅ ହାଇବ୍ରିଡ (୪୨.୯୪ ପ୍ରତିଶତ) ଅଟେ। ଡାଲି ଜାତୀୟ ଫସଲରେ ମୁଗ ବ୍ୟତୀତ ହରଡ଼ (ତୁର)ର ସର୍ବନିମ୍ନ ସମର୍ଥନ ମୂଲ୍ୟରେ ୨୨୫ ଟଙ୍କା (ପୂର୍ବରୁ କ୍ୱିଣ୍ଟାଲ ପ୍ରତି ୫୪୫୦ ଟଙ୍କା ଥିଲା) ପ୍ରତି କ୍ୱିଣ୍ଟାଲ ବୃଦ୍ଧି କରାଯାଇଛି।

କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଯୋଗୁଁ ରାଜକୋଷକୁ ୧୫ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ।

ସମ୍ବନ୍ଧିତ ଖବର