ଅଚଳ ସମ୍ପତ୍ତିରୁ ସରକାର ସଂଗ୍ରହ କରିବେ ୬ ଲକ୍ଷ କୋଟି ଟଙ୍କା: ରେଳ, ବିମାନବନ୍ଦର ଓ କୋଇଲା ଖଣି ଆଦି କ୍ଷେତ୍ର ଚିହ୍ନଟ

ନୂଆଦିଲ୍ଲୀ: ଅଚଳ ସମ୍ପତ୍ତିରୁ ସରକାର ସଂଗ୍ରହ କରିବେ ୬ ଲକ୍ଷ କୋଟି ଟଙ୍କା । ୨୦୨୫ ସୁଦ୍ଧା ଅଚଳ ସମ୍ପତ୍ତିରୁ ମୁଦ୍ରା ସଂଗ୍ରହ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । ତେବେ ଏହି ସମ୍ପତ୍ତିକୁ ବିକ୍ରି ନକରାଯିବା ସହ ଏହାର ମାଲିକାନା ସରକାରଙ୍କ ନିକଟରେ ରହିବ । ବ୍ୟବହାର ହେଉନଥିବା କିମ୍ବା ସ୍ୱଳ୍ପ ବ୍ୟବହାର ହେଉଥିବା ସମ୍ପତ୍ତିକୁ ଘରୋଇ ସହଭାଗିତାରେ କାମରେ ଲଗାଯିବ । ୪ ବର୍ଷ ମଧ୍ୟରେ ଏହି ସମ୍ପତ୍ତିରୁ ୬ ଲକ୍ଷ କୋଟି ଟଙ୍କା ଆସିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।


ନ୍ୟାସନାଲ ମନିଟାଇଜେସନ୍ ପାଇପଲାଇନ ଅଧୀନରେ ମୁଦ୍ରା ସଂଗ୍ରହ ହେବ ବୋଲି ସେ କହିଛନ୍ତି । ରେଳ, ବିମାନବନ୍ଦର ଓ କୋଇଲା ଖଣି ଆଦି କ୍ଷେତ୍ରର ଅବ୍ୟବହୃତ ସମ୍ପତ୍ତି ଚିହ୍ନଟ କରାଯାଇଛି । ମୁଦ୍ରା ସଂଗ୍ରହ ଯୋଜନାରେ ୧୫ଟି ରେଳବାଇ ଷ୍ଟାଡିୟମ, ୨୫ଟି ବିମାନବନ୍ଦର, ୧୬୦ଟି କୋଇଲା ଖଣି ପ୍ରକଳ୍ପ ଚୟନ କରାଯାଇଛି । ଏହାସହ ସଡ଼କ, ବିଜୁଳି ବଣ୍ଟନ ଓ ଗ୍ୟାସ ପାଇପ୍ ଲାଇନ ମଧ୍ୟ ରହିଛି । କେଉଁ ସମ୍ପତ୍ତିରୁ କେତେ ଟଙ୍କା ଆସିପାରିବ, ଏହାକୁ ଚିହ୍ନଟ କରାଯାଇଥିବା କହିଛନ୍ତି ନୀତି ଆୟୋଗ ସିଇଓ ଅମିତାଭ କାନ୍ତ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ବ୍ୟବହାର ହେଉନଥିବା ସମ୍ପତ୍ତିର ବ୍ୟବହାର ପାଇଁ ସମୟ ଆସିଛି । ମୁଦ୍ରା ସଂଗ୍ରହ ଯୋଜନା ନେଇ ବଜେଟରେ ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ।

ସମ୍ବନ୍ଧିତ ଖବର