ମୋଦି ସରକାରଙ୍କ ‘ଇଲେକ୍ଟ୍ରୋରାଲ ବଣ୍ଡ ସ୍କିମ୍‌’ ରାଜନୈତିକ ଦଳକୁ ମିଳୁଥିବା ପାଣ୍ଠିର ସ୍ୱଚ୍ଛତା ରକ୍ଷାକୁ ପ୍ରଭାବିତ କରିବ: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଏକ ନିଷ୍ପତ୍ତି ଉପରେ ଆଜି ସୁପ୍ରିମ୍‌ କୋର୍ଟରେ ନିଜର ଅସନ୍ତୋଷ ଜାହିର କରିଛନ୍ତି ନିର୍ବାଚନ କମିଶନ। ମୋଦି ସରକାରଙ୍କର ‘ଇଲେକ୍ଟ୍ରୋରାଲ ବଣ୍ଡ ସ୍କିମ୍‌’ ଯୋଜନା ଦ୍ୱାରା ଦେଶର ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ପାଣ୍ଠିର ସ୍ୱଚ୍ଛତା ରକ୍ଷା ଗଭୀର ଭାବେ ପ୍ରଭାବିତ ହେବ ବୋଲି ସୁପ୍ରିମ୍‌ କୋର୍ଟରେ ଦାଖଲ କରିଥିବା ନିଜ ସତ୍ୟପାଠରେ କହିଛନ୍ତି ନିର୍ବାଚନ କମିଶନ।

News18

ଏଥିସହ ଏହି ଯୋଜନା ଦ୍ୱାରା ରାଜନୈତିକ ଦଳଗୁଡ଼ିକୁ ବେନାମୀ କର୍ପୋରେଟ ଚାନ୍ଦା ମିଳିବା ବୃଦ୍ଧି ପାଇବା ସହ କଳାଧନ ସବୁ ଧଳା ହୋଇ ରାଜନୈତିକ ଦଳଗୁଡ଼ିକର ଜମାଖାତାରେ ଜମା ହେବ ବୋଲି ନିଜ ସତ୍ୟପାଠରେ ଆଶଙ୍କା ପ୍ରକଟ କରିଛନ୍ତି ନିର୍ବାଚନ କମିଶନ। ଅନ୍ୟପକ୍ଷରେ ରାନୈତିକ ଦଳଗୁଡ଼ିକ ସଂଗ୍ରହ କରୁଥିବା ପାଣ୍ଠି ବା ସେମାନଙ୍କୁ ମିଳୁଥିବା ଆର୍ଥିକ ଚାନ୍ଦା ଉପରେ ନିର୍ବାଚନ କମିଶନଙ୍କର କୌଣସି ପ୍ରକାରର କର୍ତ୍ତୃତ୍ୱ ରହିବ ନାହିଁ ବୋଲି ମଧ୍ୟ ଦର୍ଶାଇଛନ୍ତି ନିର୍ବାଚନ କମିଶନ।

News18

ଉଲ୍ଲେଖଯୋଗ୍ୟ, ମୋଦି ସରକାର ଗତ ୨୦୧୮ ଜାନୁଆରି ୨ ତାରିଖରେ ଏହି ‘ଇଲେକ୍ଟ୍ରୋରାଲ ବଣ୍ଡ ସ୍କିମ୍‌’ ଯୋଜନାକୁ ଦେଶରେ କାର୍ଯ୍ୟକାରୀ କରିଥିଲେ। ଏହି ଯୋଜନା ଅନୁସାରେ ଯେ କେହି ଭାରତୀୟ ନାଗରିକ ବା କର୍ପୋରେଟ୍‌ ହାଉସ୍‌ ବା ଭାରତରେ ରହି ବ୍ୟବସାୟ କରୁଥିବା ଯେ କେହି ବିଦେଶୀ ସଂସ୍ଥା ଏହି ବଣ୍ଡ କିଣି ପାରିବେ। ବଣ୍ଡ କିଣୁଥିବା ବ୍ୟକ୍ତିଙ୍କ ପରିଚୟ କେବଳ ବ୍ୟାଙ୍କ୍‌ ନିକଟରେ ସଂପୂର୍ଣ୍ଣ ଗୋପନୀୟ ହୋଇ ରହିବ। କେବଳ ମାତ୍ର ଭାରତୀୟ ଷ୍ଟେଟବ୍ୟାଙ୍କ୍‌ରେ ଏହି ବଣ୍ଡ ଉପଲବ୍ଧ ହେବ। ୧ ହଜାର ଠାରୁ ଆରମ୍ଭ କରି ୧୦ ହଜାର, ୧ ଲକ୍ଷ, ୧୦ଲକ୍ଷ ଏପରିକି ୧ କୋଟି ଟଙ୍କା ମୂଲ୍ୟର ବଣ୍ଡ ଉପଲବ୍ଧ ହେବ। ଜଣେ ବ୍ୟକ୍ତି ଚାହିଁଲେ ଯେତେ ଇଚ୍ଛା ସେତେ ମୂଲ୍ୟର ବଣ୍ଡ କିଣି ପାରିବ। ତେବେ, ଏହି ବଣ୍ଡରେ କିଣୁଥିବା ବ୍ୟକ୍ତି ଚାନ୍ଦା ଦେଉଥିବା ବ୍ୟକ୍ତିର ନାମ ବା ଅନ୍ୟ କିଛି ବି ଉଲ୍ଲେଖ ରହିବ ନାହିଁ। ଏହି ବଣ୍ଡଗୁଡ଼ିକ ୧୫ ଦିନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ। ଏହି ସମୟ ମଧ୍ୟରେ ଯେଉଁ ରାଜନୈତିକ ଦଳଗୁଡ଼ିକୁ ଏହି ବଣ୍ଡ ମିଳିଥିବ କେବଳ ସେମାନେ ସେମାନଙ୍କ ବ୍ୟାଙ୍କ୍‌ର ଜମାଖାତାରେ ବଣ୍ଡଗୁଡ଼ିକୁ ଜମା କଲାପରେ ବଣ୍ଡର ମୂଲ୍ୟ ଅନୁଯାୟୀ ଅର୍ଥରାଶି ସେମାନଙ୍କ ଜମାଖାତାରେ ଜମା ହୋଇଯିବ।

News18

ତେବେ, ‘ଇଲେକ୍ଟ୍ରୋରାଲ ବଣ୍ଡ ସ୍କିମ୍‌’କୁ ବିରୋଧ କରି ସୁପ୍ରିମ୍‌ କୋର୍ଟରେ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା ଆଗତ ହୋଇଥିଲା। ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ଏ ମାମଲାରେ ନିଜର ପକ୍ଷ ଏକ ସତ୍ୟପାଠ ଆକାରରେ ରଖିବା ପାଇଁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସତ୍ୟପାଠ ଦାଖଲ କରାଯିବା ପରେ ମାମଲାର ପରବର୍ତ୍ତୀ ଶୁଣାଣିକୁ ଅପ୍ରେଲ ୨ ତାରିଖକୁ ଧାର୍ଯ୍ୟ କରିଛନ୍ତି ସୁପ୍ରିମ୍‌ କୋର୍ଟ।

ସମ୍ବନ୍ଧିତ ଖବର