ମୋଦୀଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୩.୦୭ କୋଟି: ବର୍ଷକରେ ୨୨ ଲକ୍ଷ ବଢ଼ିଛି, ସବୁଠାରୁ ଧନୀ ମନ୍ତ୍ରୀ ସିନ୍ଧିଆ

ଶାହଙ୍କ ସମ୍ପତ୍ତି ମୂଲ୍ୟ ୩୭ କୋଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଦ୍ୟ ଘୋଷିତ ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୩.୦୭ କୋଟି ଟଙ୍କା। ଗତବର୍ଷ ଏହା ୨.୮୫ କୋଟି ଥିବାବେଳେ ବର୍ଷକ ଭିତରେ ୨୨ ଲକ୍ଷ ବୃଦ୍ଧି ପାଇଛି ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି। ଅନେକ ମନ୍ତ୍ରୀଙ୍କ ପରି ପ୍ରଧାନମନ୍ତ୍ରୀ ମୋଦୀ ଷ୍ଟକ୍‌ ମାର୍କେଟ୍‌ରେ କିଛି ପୁଞ୍ଜିନିବେଶ କରିନାହାନ୍ତି। ତାଙ୍କର ନିବେଶଗୁଡ଼ିକ ନ୍ୟାସନାଲ ସେଭିଂସ୍ ସାର୍ଟିଫିକେଟ୍ (୮.୯ ଲକ୍ଷ), ଜୀବନ ବୀମା ପଲିସି (୧.୫ ଲକ୍ଷ) ଓ ୨୦୧୨ରେ କିଣିଥିବା ଏଲ୍‌ ଆଣ୍ଡ୍ ଟି ଇନ୍‌ଫ୍ରାଷ୍ଟ୍ରକ୍ଚର ବଣ୍ଡ୍ (୨୦,୦୦୦ ଟଙ୍କା) ଆକାରରେ ରହିଛି। ବର୍ଷକରେ ତାଙ୍କର ଯେଉଁ ୨୨ ଲକ୍ଷ ଟଙ୍କା ସମ୍ପତ୍ତି ବୃଦ୍ଧି ପାଇଛି ତାହା ମୁଖ୍ୟତଃ ସେ ଗାନ୍ଧିନଗର ବ୍ରାଞ୍ଚ୍ ଏସ୍‌ବିଆଇ ଶାଖାରେ କରିଥିବା ସ୍ଥାୟୀ ଜମା ଯୋଗୁ ବଢ଼ିଛି। ତାଙ୍କ ଘୋଷଣାନାମା ଅନୁସାରେ ସେ ଗତବର୍ଷ ମାର୍ଚ୍ଚ ୩୧ ତାରିଖରେ ୧.୬ କୋଟି ଟଙ୍କା ସ୍ଥାୟୀ ଜମା କରିଥିଲେ ଯାହା ବୃଦ୍ଧି ପାଇ ୧.୮୬ କୋଟି ଟଙ୍କା ହୋଇଛି।

ମୋଦୀଙ୍କର କୌଣସି ବ୍ୟକ୍ତିଗତ ଗାଡ଼ି ନାହିଁ। ତାଙ୍କର ଚାରିଟି ସୁନାମୁଦି ଅଛି ଯାହାର ମୂଲ୍ୟ ୧.୪୮ ଲକ୍ଷ ଟଙ୍କା। ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା ତାଙ୍କର ବ୍ୟାଙ୍କ ଜମା (୧.୫ ଲକ୍ଷ) ଓ ହାତରେ ଥିବା ନଗଦ ଟଙ୍କା (୩୬,୦୦୦ ଟଙ୍କା) ଗତବର୍ଷ ତୁଳନାରେ କମ୍। ସେ ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ କୌଣସି ନୂଆ ସମ୍ପତ୍ତି କ୍ରୟ କରିନାହାନ୍ତି। ତାଙ୍କର ଏକମାତ୍ର ଆବାସିକ ଘର ସେ ୨୦୦୨ରେ ୧.୧ କୋଟି ଟଙ୍କାରେ କିଣିଥିଲେ। ଏହା ଏକ ଯୌଥ ସମ୍ପତ୍ତି ଏବଂ ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଭାଗ ମାତ୍ର ଏକଚତୁର୍ଥାଂଶ। ୧୪,୧୨୫ ବର୍ଗଫୁଟର ଜାଗାରୁ ତାଙ୍କର ମାତ୍ର ୩,୫୩୧ ବର୍ଗଫୁଟ ଉପରେ ଅଧିକାର ଅଛି। ଅଟଳବିହାରୀ ବାଜପେୟୀଙ୍କ ସମୟରୁ ସରକାର ନିଷ୍ପତ୍ତି ନେଇଥିଲେ ଯେ ସାଧାରଣ ଜୀବନରେ ସ୍ବଚ୍ଛତା ପ୍ରଦର୍ଶନ ନିମନ୍ତେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ସ୍ବେଚ୍ଛାକୃତ ଭାବରେ ନିଜର ସମ୍ପତ୍ତି ତାଲିକା ପ୍ରତି ଆର୍ଥିକ ବର୍ଷ ଶେଷରେ ପ୍ରଦାନ କରିବେ। ମୋଦୀଙ୍କର ଏହି ସମ୍ପତ୍ତି ତାଲିକା ସର୍ବସାଧାରଣଙ୍କ ଅବଗତି ପାଇଁ ପ୍ରଧାନମନ୍ତ୍ରୀଙ୍କ ୱେବ୍‌ସାଇଟ୍‌ରେ ଉପଲବ୍ଧ।

ମୋଦୀଙ୍କ କ୍ୟାବିନେଟ୍‌ର ସବୁଠାରୁ ଧନୀ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୩୭୯ କୋଟିରୁ ଅଧିକ ଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ମୋଟ୍‌ ସମ୍ପତ୍ତିର ମୂଲ୍ୟ ୩୭ କୋଟିରୁ ଅଧିକ ରହିଛି। ୫୬ ବର୍ଷୀୟ ଶାହଙ୍କ ସମ୍ପତ୍ତି ମୂଲ୍ୟ ୯.୨୮ କୋଟି ବଢ଼ିଛି। ଗତବର୍ଷ ଶାହଙ୍କ ମୋଟ୍‌ ସମ୍ପତ୍ତି ମୂଲ୍ୟ ୨୮.୬୩ କୋଟି ଥିଲା। ଶାହ ୧୦ଟି ସ୍ଥାବର ସମ୍ପତ୍ତିର ମାଲିକ। କ୍ୟାବିନେଟ୍‌ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସମ୍ପତ୍ତି ୫.୫ କୋଟିରୁ ଅଧିକ ଥିବା ବେଳେ ସ୍ମୃତି ଇରାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୧ କୋଟିରୁ ଅଧିକ ରହିଛି। କ୍ୟାବିନେଟ୍‌ ମନ୍ତ୍ରୀ ନାରାୟଣ ରାଣେଙ୍କ ସମ୍ପତ୍ତିର ମୂଲ୍ୟ ୮୮ କୋଟି ରହିଥିବା ଜଣାପଡ଼ିଛି। ମୋଦୀ କ୍ୟାବିନେଟ୍‌ର ବରିଷ୍ଠ ମନ୍ତ୍ରୀ ରାଜନାଥ ସିଂହଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୫ କୋଟିରୁ ଅଧିକ ଥିବା ବେଳେ ଅନ୍ୟତମ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ତାଙ୍କ ମୋଟ ସମ୍ପତ୍ତି ୩.୧୭ କୋଟି ଦର୍ଶାଇଛନ୍ତି। ମୋଦୀ କ୍ୟାବିନେଟ୍‌ର ଅନ୍ୟତମ ଧନୀ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ମୋଟ୍‌ ସମ୍ପତ୍ତି ମୂଲ୍ୟ ୬୪ କୋଟି ଥିବା ବେଳେ ମୀନାକ୍ଷି ଲେଖିଙ୍କ ସମ୍ପତ୍ତିର ମୂଲ୍ୟ ୩୬ କୋଟି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର