ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚିତ ସରକାରର ମୁଖ୍ୟ ଭାବେ ୨୦ ବର୍ଷରେ ପଦାର୍ପଣ କରିଛନ୍ତି। ଲଗାତାର ୧୯ ବର୍ଷ ଧରି କ୍ଷମତାରେ ରହିବା ପରେ ଆଜି ମୋଦୀ କ୍ଷମତାର ୨୦ ବର୍ଷରେ ପହଞ୍ଚିଛନ୍ତି। ବିନା କୌଣସି ବିରତିରେ ମୋଦୀ ୨୦ ବର୍ଷ ସରକାରର ମୁଖ୍ୟ ଭାବେ ରହିବା ତାଙ୍କ ରାଜନୈତିକ କ୍ୟାରିୟର୍ରେ ଅନ୍ୟ ଏକ ମାଇଲଖୁଣ୍ଟ। ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବରୁ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଗୁଜରାଟ ସରକାରର ମୁଖ୍ୟ ଥିଲେ। କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆଜି ଏକ ଟ୍ବିଟ୍ କରି କହିଛନ୍ତି, ସମଗ୍ର ବିଶ୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନିର୍ବାଚିତ ସରକାରରେ ସବୁଠୁ ଅଧିକ ଦିନ ମୁଖ୍ୟ ରହିଛନ୍ତି। ଏହା ପ୍ରତି ଭାରତୀୟଙ୍କ ପାଇଁ ଏକ ଗୌରବର ବିଷୟ ବୋଲି ସେ କହିଛନ୍ତି। ରବିଶଙ୍କର ବିଶ୍ବର ଅନ୍ୟ ନେତା ତଥା ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍, ଜର୍ଜ୍ ଡବ୍ଲ୍ୟୁ ବୁସ୍, ଫ୍ରାଙ୍କଲିନ୍ ରୁଜ୍ଭେଲ୍ଟ ଏବଂ ସ୍ବର୍ଗତ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ମାର୍ଗାରେଟ୍ ଥାଚରଙ୍କ ସହ ମୋଦୀଙ୍କୁ ତୁଳନା କରି ଏକ ଟ୍ବିଟ୍ କରିଛନ୍ତି। 'ନମୋ'ଙ୍କ ଏହି ୨୦ ବର୍ଷର ଯାତ୍ରା ପାଇଁ ବହୁ ବିଜେପି ନେତା ଏବଂ ମନ୍ତ୍ରୀ ଟ୍ବିଟର୍ରେ ଶୁଭେଚ୍ଛା ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ, ମୋଦୀ ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେ ୧୩ ବର୍ଷ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ୭ ବର୍ଷ ଧରି ସେ ଦେଶର ପ୍ରଧାନମନ୍ତ୍ରୀ ରହିଛନ୍ତି। ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ଏଭଳି ବ୍ୟକ୍ତି ଯିଏ କି ଏକ ସରକାରର ମୁଖ୍ୟ ଭାବେ କେବେ ବି ନିର୍ବାଚନ ହାରିନାହାନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ମୋଦୀଙ୍କ ନେତୃତ୍ବରେ ଭାରତ ଏକ ନୂଆ ଭାରତରେ ରୂପାନ୍ତରିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/modi-1.jpg)