‘ଗ୍ଲୋବାଲ୍‌ ଏଣ୍ଟର୍‌ପ୍ରେନ୍ୟୁଅର୍‌ସିପ୍‌ ସମିଟ୍‌’କୁ ଯାଇ ମୋଦି ପ୍ରଧାନମନ୍ତ୍ରୀ ପଦମର୍ଯ୍ୟାଦାକୁ ଛୋଟ କରି ଦେଇଛନ୍ତି: କଂଗ୍ରେସ

ନୂଆଦିଲ୍ଲୀ: ହାଇଦ୍ରାବାଦ ଶିଖର ବୈଠକରେ ଯୋଗ ଦେଇ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ପଦମର୍ଯ୍ୟାଦାକୁ ଛୋଟ କରି ଦେଇଛନ୍ତି। କେବଳ ଇଭାଙ୍କା ଟ୍ରମ୍ପ୍‌ ଆସିଥିବାରୁ ପ୍ରଧାନମନ୍ତ୍ରୀ ସେଠାକୁ ଯାଇଥିଲେ। ଆଜି ଏ କଥା କହିଛି କଂଗ୍ରେସ।

କାର୍ଯ୍ୟକ୍ରମରେ ଇଭାଙ୍କା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ। ଏହି ମର୍ମରେ କଂଗ୍ରେସ ମୁଖପାତ୍ର ଆନନ୍ଦ ଶର୍ମା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କର ତାଙ୍କ ପରି (ଇଭାଙ୍କା) ଜଣେ ବାହାର ଲୋକଙ୍କର ସାର୍ଟିଫିକେଟ୍‌ କ’ଣ ଦରକାର?

ଇଭାଙ୍କା ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ଝିଅ ତଥା ତାଙ୍କର ବରିଷ୍ଠ ପରାମର୍ଶଦାତ୍ରୀ। ଭାରତ ଏବଂ ଆମେରିକା ଦ୍ୱାରା ଆୟୋଜିତ ‘ଗ୍ଲୋବାଲ୍‌ ଏଣ୍ଟର୍‌ପ୍ରେନ୍ୟୁଅର୍‌ସିପ୍‌ ସମିଟ୍‌’ରେ ସେ ଆମେରିକୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇ ଆସିଛନ୍ତି। ଶିଖର ବୈଠକର ଉଦ୍‌ଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇଥିଲେ।

କଂଗ୍ରେସ ମୁଖପାତ୍ର ଶର୍ମା କହିଛନ୍ତି ଯେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଥିବାବେଳେ ପ୍ରଧାନମନ୍ତ୍ରୀ ସେ କାର୍ଯ୍ୟକ୍ରମକୁ ଯିବା କ’ଣ ଦରକାର ଥିଲା? ଶ୍ରୀ ଶର୍ମା ରାଜ୍ୟସଭାରେ ବିରୋଧୀ ଦଳର ଉପନେତା ଅଛନ୍ତି।

ହାଇଦ୍ରାବାଦ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୋଦି ଅଗଷ୍ଟ ମାସରୁ କାର୍ଯ୍ୟ ନିର୍ଘଣ୍ଟ ସ୍ଥିର କରିଥିଲେ। ତେଣୁ ସେ ଗୁଜୁରାଟ ନିର୍ବାଚନ ପ୍ରଚାର ଅଭିଯାନରୁ ସମୟ କାଢ଼ି ସେଠାରେ ଯୋଗ ଦେଇଥିଲେ।

କଂଗ୍ରେସ ମୁଖପାତ୍ର ଶର୍ମା କହିଛନ୍ତି, ଗୁଜୁରାଟବାସୀଙ୍କୁ ପ୍ରଧାନମନ୍ତ୍ରୀ ସାର୍ଟିଫିକେଟ୍‌ ମାଗନ୍ତୁ। ତାଙ୍କ ଦଳ ସେଠାରେ ୨୨ ବର୍ଷ ଶାସନ କରିଛି।

ସମ୍ବନ୍ଧିତ ଖବର