‘ମୋଦି ଦୈନିକ ୪ ଲକ୍ଷ ଟଙ୍କାର ଛତୁ ଖାଉଛନ୍ତି’

ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନ ପ୍ରଚାରର ଶେଷ ଦିବସରେ ବିଭିନ୍ନ ଦଳର ନେତାମାନେ ପରସ୍ପରକୁ ତୀବ୍ର ଆକ୍ଷେପ ପ୍ରତିଆକ୍ଷେପ କରିଛନ୍ତି। ମତଦାତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନେତାମାନେ କିଛି ବି କହିବାକୁ ପଛାଉନାହାନ୍ତି। ଏହି ଆରୋପ ପ୍ରତ୍ୟାରୋପ ଭିତରେ ଓବିସି ଏକତା ମଂଚର ନେତା ଅଳ୍ପେଶ ଠାକୁର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିଛନ୍ତି। ସେ କହିଛନ୍ତି ଯେ ମୋଦିଙ୍କ ରଙ୍ଗ ପ୍ରଥମେ ତାଙ୍କ ଭଳି କଳା ଥିଲା। କିନ୍ତୁ ସେ ତାଇଓ୍ଵାନରୁ ଆସୁଥିବା ଏକ ସ୍ୱତନ୍ତ୍ର କିସମର ଛତୁ ଖାଇ ତାଙ୍କ ଗାଲକୁ ଲାଲ କରିଛନ୍ତି। ଏହି ଛତୁ ଖାଇବା ପାଇଁ ପ୍ରତିଦିନ ତାଙ୍କୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି ବୋଲି ଅଳ୍ପେଶ କହିଛନ୍ତି। ଗୋଟିଏ ଲେଖାଏଁ ଛତୁର ଦାମ ୮୦ ହଜାର ଟଙ୍କା ବୋଲି ସେ କହିଛନ୍ତି। ଏଭଳି ଛତୁ ଖାଇବା ପାଇଁ ମାସକରେ ୧ କୋଟି ୨୦ ଲକ୍ଷ ଟଙ୍କା ମୋଦି ଖର୍ଚ୍ଚ କରୁଛନ୍ତି ବୋଲି ସେ କହିଛନ୍ତି। ପୂର୍ବରୁ ମୋଦିଙ୍କ ୧୦ ଲକ୍ଷ ଟଙ୍କାର ସୁଟ୍‌କୁ ନେଇ ସରଗରମ ଚର୍ଚ୍ଚା ହୋଇଥିବା ବେଳେ ଏବେ ଅଳ୍ପେଶଙ୍କ ଛତୁ ଉପାଖ୍ୟାନ ମଧ୍ୟ ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର