ମୋଦୀ-ହାସିନା ସାକ୍ଷାତ: ଭାରତ-ବାଂଲାଦେଶ ୭ ଏମ୍‌ଓୟୁ ସ୍ବାକ୍ଷର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାଂଲାଦେଶ ପ୍ରତିପକ୍ଷ ଶେଖ୍‌ ହାସିନାଙ୍କୁ ଦିଲ୍ଲୀରେ ସାକ୍ଷାତ କରିଛନ୍ତି। ଉଭୟ ମୋଦୀ ଏବଂ ହାସିନା ଆଜି ହାଇଦ୍ରାବାଦ ହାଉସ୍‌ରେ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ଏହି ଅବସରରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆଜି ୭ଟି ଏମ୍‌ଓୟୁ ସ୍ବାକ୍ଷର ହୋଇଛି। ଆଇଟି ସେକ୍ଟର, ପରମାଣୁ ଶକ୍ତି ସମେତ ବିଭିନ୍ନ କ୍ଷେତ୍ରରେ ଉଭୟ ଭାରତ ଏବଂ ବାଂଲାଦେଶ ପରସ୍ପରକୁ ସହଯୋଗର ହାତ ବଢ଼ାଇବାପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ପିଏମ୍‌ଓ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ଭାରତର ଜଳ ଶକ୍ତି ମନ୍ତ୍ରାଳୟ ଏବଂ ବାଂଲାଦେଶ ଜଳ ସମ୍ପଦ ମନ୍ତ୍ରାଳୟ ମଧ୍ୟରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାଜିନାମା ସ୍ବାକ୍ଷର ହୋଇଛି। ସୀମା ନଦୀ କୁଶିୟାରାରୁ ଜଳ ପ୍ରତ୍ୟାହାର ନେଇ ୨ ରାଷ୍ଟ୍ର ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହୋଇଛି। ଭାରତରେ ବାଂଲାଦେଶ ରେଳ କର୍ମଚାରୀଙ୍କ ତାଲିମ ନେଇ ଦୁଇ ରାଷ୍ଟ୍ର ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହୋଇଛି। ଆଇଟି କ୍ଷେତ୍ରରେ ହଯୋଗ ପାଇଁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ରାଜିନାମା ସ୍ବାକ୍ଷର ହୋଇଛି। ପ୍ରସାରଣ କ୍ଷେତ୍ରରେ ସହଯୋଗ ପାଇଁ ପ୍ରସାର ଭାରତୀ ଏବଂ ବିଟିଭି (ବାଂଲାଦେଶ ଟେଲିଭିଜନ) ମଧ୍ୟରେ ରାଜିନାମା ସ୍ବାକ୍ଷର ହୋଇଛି। ସିଏସଆଇଆର ( କାଉନସିଲ ଫର ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ) ଏବଂ ବିସିଏସଆଇଆର (ବାଂଲାଦେଶ କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ) ମଧ୍ୟରେ ଆଜି ଏକ ଏମ୍‌ଓୟୁ ସ୍ବାକ୍ଷର ହୋଇଛି। ମହାକାଶ ଜ୍ଞାନକୌଶଳ କ୍ଷେତ୍ରରେ ମଧ୍ୟ ୨ ରାଷ୍ଟ୍ର ମଧ୍ୟରେ ରାଜିନାମା ସ୍ବାକ୍ଷର ହୋଇଛି।

ସମ୍ବନ୍ଧିତ ଖବର