ନୂଆଦିଲ୍ଲୀ: ୧୨ ରାଜ୍ୟସଭା ସାଂସଦଙ୍କ ନିଲମ୍ବନକୁ ବିରୋଧ କରି ବିରୋଧୀ ଦଳ ନେତାମାନେ ସଂସଦରେ ବିରୋଧୀ ପ୍ରଦର୍ଶନ ଜାରି ରଖିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ବରିଷ୍ଠ ମନ୍ତ୍ରୀମାନଙ୍କ ସହ ଏକ ବୈଠକ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ , ଆଇନ ମନ୍ତ୍ରୀ କିରେନ ରିଜିଜୁ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ବୈଠକରେ ଯୋଗ ଦେଇଥିଲେ। ଏମ୍ଏସ୍ପି ସଂକ୍ରାନ୍ତରେ ଆଲୋଚନା ପାଇଁ ଏକ କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ବୈଠକରେ ଏହି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି।
ଇତିମଧ୍ୟରେ ବିରୋଧୀ ଦଳ ନେତାମାନେ ଏକଜୁଟ୍ ହୋଇ ସଂସଦ ପରିସରର ଗାନ୍ଧି ମଇଦାନ ନିକଟରେ ଏକ ମିଳିତ ଆନ୍ଦୋଳନ କରିଛନ୍ତି। ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମଧ୍ୟ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ। କଂଗ୍ରେସ, ଟିଏମ୍ସି , ଏସ୍ପି, ଡିଏମ୍କେ, ଶିବସେନା, ଟିଆରଏସ୍, ଏନ୍ସିପି , ସିପିଆଇ(ଏମ୍), ସିପିଆଇ, ଆର୍ଜେଡି, ଆଇୟୁଏମ୍ଏଲ, ଏନ୍ସି, ଏଲ୍ଜେଡି, ଆର୍ଏସପି ଏବଂ କେରଳ କଂଗ୍ରେସ ଏହି ଆନ୍ଦୋଳନରେ ସାମିଲ ହୋଇଛି। ପ୍ଲାକାର୍ଡ ଧରି ଆନ୍ଦୋଳନରତ ସାଂସଦମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି ଏବଂ ରାଜ୍ୟସଭା ସଦସ୍ୟମାନଙ୍କ ନିଲମ୍ବନ ରଦ୍ଦ କରିବାପାଇଁ ଦାବି କରିଛନ୍ତି। ଉକ୍ତ ପ୍ରସଙ୍ଗରେ ସଂସଦର ଉଭୟ ଗୃହରେ ମଧ୍ୟ ଲଗାତାର ହଟ୍ଟଗୋଳ ଜାରି ରହିବାରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେଉଛି।