ଆପଣଙ୍କ ମନରେ ଯେଉଁ ନିଆଁ, ମୋ ଭିତରେ ବି ତାହା: ମୋଦୀ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ୍‌ ଏ ମହମ୍ମଦର ଏହି କାପୁରୁଷୋଚିତ କାର୍ଯ୍ୟର କଡ଼ା ଜବାବ ଦେବାକୁ ଦେଶ୍ୟବ୍ୟାପୀ ଜନସାଧାରଣ ସ୍ବର ଉଠାଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ବରୋନି ଜିଲ୍ଲାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପୁଲ୍‌ୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ଯେଉଁ ନିଆଁ ଏବେ ଆପଣମାନଙ୍କ ମନରେ ଜଳୁଛି ସେହି ନିଆଁ ମଧ୍ୟରେ ମୋ ଭିତରେ ରହିଛି। ୩୩ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୧୪ ଫେବ୍ରୁଆରିରେ ପୁଲୱାମାରେ ହୋଇଥିବା ଆକ୍ରମଣରେ ୪୦ ଜଣ ବୀର ଯବାନ ଯେଉଁ ବଳିଦାନ ଦେଇଛନ୍ତି ତାହାକୁ ଦେଶ କେବେ ଭୁଲିବ ନାହିଁ ଏବଂ ଏହାର ଉଚିତ ଜବାବ ଦିଆଯିବ। ସହିଦ ଯବାନଙ୍କ ମଧ୍ୟରେ ପାଟନାର ସଂଜୟ କୁମାର ସିହ୍ନା ଏବଂ ଭାଗଲପୁରର ରତ୍ନ କୁମାର ଠାକୁର ସାମିଲ ଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଥିଲେ। ସମଗ୍ର ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ ରହିଛି ଏବଂ କୌଣସି ଶକ୍ତି ଦେଶର ମନୋବଳକୁ ଦୋହଲାଇ ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହିତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର