ୱାସିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକା ସଂସଦର ମିଳିତ ଅଧିବେଶନରେ ଉଦ୍‌ବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସଂସଦ କକ୍ଷରେ ପହଞ୍ଚିବାମାତ୍ରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ଏବଂ ‘ମୋଦୀ ମୋଦୀ’ ସ୍ଲେଗାନରେ ଗୃହ କମ୍ପି ଉଠିଥିଲା। ଉପରାଷ୍ଟ୍ରପତି କମଳା ହାରିସ ଓ ବାଚସ୍ପତିଙ୍କ ନେତୃତ୍ବରେ ସାଂସଦମାନେ ମୋଦୀଙ୍କୁ ପାଛୋଟି ନେଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ ଭାରତ ଓ ଆମେରିକା ଗଣତନ୍ତ୍ରରେ ରହିଥିବା ସମାନତା ଓ ମହାନ ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ ଏବଂ ଆମେରିକା ସଂସଦରେ ଦ୍ବିତୀୟ ଥର ପାଇଁ ଉଦ୍‌ବୋଧନ ଦେବା ତାଙ୍କ ପାଇଁ ଅତ୍ୟନ୍ତ ସମ୍ମାନର କଥା ବୋଲି କହିଥିଲେ। ଭବ୍ୟ ସ୍ବାଗତ ପାଇଁ ଭାରତୀୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ ଭାରତ-ଆମେରିକା ସଂପର୍କର ତୁଳନା ଏଆଇ (କୃତ୍ରିମ ବୁଦ୍ଧିମତା) ସହ କରିଥିଲେ। ସେ କହିଥିଲେ ଯେ ଉଭୟ ଦେଶ ମଧ୍ୟରେ ଏବେ ଅତୁଟ ଭରସା ରହିଛି ଏବଂ ବନ୍ଧୁତା ଆହୁରି ପ୍ରଗାଢ଼ ହୋଇଛି। ଉଭୟ ଦେଶ ମଧ୍ୟରେ ବିଶ୍ବାସ ବଢ଼ିଛି ଏବଂ ଗତ ୭ ବର୍ଷ ମଧ୍ୟରେ ବହୁତ କିଛି ବଦଳି ଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Advertisment

ଉଭୟ ଭାରତ ଓ ଆମେରିକା ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଗଣତନ୍ତ୍ର ସହିତ ଉଭୟ ରାଷ୍ଟ୍ର ଗଭୀର ସଂପର୍କ। ଆମେରିକ‌ାର ସପ୍ନ ସାକାର କରିବାରେ ଭାରତ ସର୍ବଦା ସହଯୋଗ କରିଆସିଛି। ଆମେରିକାର ସ୍ବପ୍ନରେ ଭାରତୀୟଙ୍କ ଯୋଗଦାନ ଅତ୍ୟନ୍ତ ଉତ୍ସାହଜନକ। ଭାରତ ଏବେ ଦ୍ରୁତ ବିକାଶ ପଥରେ ଅଗ୍ରସର ହେଉଛି ଏବଂ ଖୁବ୍‌ଶୀଘ୍ର ବିଶ୍ବର ତୃତୀୟ ବଡ଼ ଅର୍ଥନୀତି ହେବାକୁ ଯାଉଛି। ଭାରତରେ ଏବେ ୨୫୦୦ ରାଜନୈତିକ ଦଳ ରହିଛି। ବିଭିନ୍ନ ରାଜ୍ୟରେ ୨୦ଟି ଭିନ୍ନ ଭିନ୍ନ ଦଳ ଶାସନ କରୁଛନ୍ତି। ଆମର ୨୨ଟି ସରକାରୀ ଭାଷା ରହିଛି ଏବଂ ଆମର ସ୍ବର ଏକ। ଭାରତର ବିକାଶ ଅନ୍ୟ ରାଷ୍ଟ୍ରଙ୍କ ପାଇଁ ପ୍ରେରଣା ଯୋଗାଉଛି। ଭାରତ ଏବେ ବିଶ୍ବ ଅର୍ଥନୀତିରେ ପଞ୍ଚମ ସ୍ଥାନରେ ରହିଛି। ଭାରତ ବିକାଶ କଲେ ଭାରତ ସହିତ ବିଶ୍ବର ବିକାଶ ବି ହୁଏ। ଆମେ ଏବେ ଭିତ୍ତିଭୂମିର ବିକାଶ ଦିଗରେ ଫୋକସ୍‌ କରୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭାରତରେ ଏବେ ମହିଳାମାନେ ବିକାଶର ନେତୃତ୍ବ ନେଉଛନ୍ତି। ଭାରତ ବିଶ୍ବର ସବୁ ଧର୍ମକୁ ସ୍ବାଗତ କରୁଛି ଏବଂ ସବୁ ଧର୍ମର ଉତ୍ସବ ମନାଉଛି। ବିବିଧତା ଆମ ଜୀବନର ଧାରା ପାଲଟି ଯାଇଛି ବୋଲି ପ୍ରଧାନମନ୍ତ୍ରୀ ଆମେରିକା ସଂସଦରେ କହିଥିଲେ।