ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାମିଲନାଡୁ ରାଜଧାନୀ ଚେନ୍ନାଇରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। କଳା ପତାକା ଓ କଳା ବେଲୁନ୍ ପ୍ରଦର୍ଶନ ପରେ ରୋଡ୍ ସୋ’ ବାତିଲ୍ କରି ପ୍ରଧାନମନ୍ତ୍ରୀ ହେଲିକପ୍ଟର ଯୋଗେ କାର୍ଯ୍ୟକ୍ରମସ୍ଥଳୀକୁ ଯାତ୍ରା କରିଛନ୍ତି। ଚେନ୍ନାଇରେ ଅନୁଷ୍ଠିତ ହେଉଥିବା ୧୦ତମ ଡିଫେନ୍ସ ଏକ୍ସପୋ’କୁ ଉଦ୍ଘାଟନ କରିବା ଲାଗି ପ୍ରଧାନମନ୍ତ୍ରୀ ଚେନ୍ନାଇ ଗସ୍ତରେ ଅଛନ୍ତି। କାବେରୀ ଜଳ ବିବାଦର ସମାଧାନ ଲାଗି କେନ୍ଦ୍ର ସରକାର କାବେରୀ ଦଳ ପରିଚାଳନା ବୋର୍ଡ ଗଠନରେ ବିଫଳ ହୋଇଥିବାରୁ ମୁଖ୍ୟ ବିରୋଧୀ ଦଳ ଦ୍ରାବିଡ ମୁନାଡ୍ରା କାଜାଗମ୍ (ଡିଏମ୍କେ) ପକ୍ଷରୁ କଳାପତାକା ଓ କଳାବେଲୁନ୍ ପ୍ରଦର୍ଶନ କରାଯାଇଛି। ଡିଏମ୍କେର ନେତା ଏମ୍କେ ଷ୍ଟାଲିନ୍ଙ୍କ ନେତୃତ୍ୱରେ ହଜାର ହଜାର ପ୍ରଦର୍ଶନକାରୀ କଳାପତାକା ଓ କଳା ବେଲୁନ୍ ସହ ‘ଗା ବ୍ୟାକ୍ ମୋଦି’ ଲେଖାଥିବା ପୋଷ୍ଟର ଧରି ବିମାନବନ୍ଦରକୁ ସଂଯୋଗ କରିଥିବା ରାସ୍ତାରେ ଧାରଣା ଦେଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ରୋଡ୍ ସୋ’ ବାତିଲ୍ କରି ହେଲିକପ୍ଟର ଯୋଗେ ସିଧା ପ୍ରତିରକ୍ଷା ସାମଗ୍ରୀ ପ୍ରଦର୍ଶନୀ ଡିଫେନ୍ସ ଏକ୍ସପୋକୁ ଯାଇଥିବା ଜଣାପଡ଼ିଛି। ଏହି ପ୍ରଦର୍ଶନୀ ଚେନ୍ନାଇଠାରୁ ୪୦କିମି ଦୂର ଥିରୁଭିଜନ୍ତାଇରେ ଆୟୋଜିତ ହୋଇଛି। ମିଳିଥିବା ସୂଚନା ଅନୁସାରେ ହେଲିକପ୍ଟରଟି ମାଡ୍ରାସ ଆଇଆଇଟି କ୍ୟାମ୍ପସ ସନ୍ନିକଟସ୍ଥ ଆଦ୍ୟାର କ୍ୟାନସର ଇନ୍ଷ୍ଟିଚ୍ୟୁଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଲାଗି ଉଦ୍ଧିଷ୍ଟ ଥିଲା କିନ୍ତୁ ଏହାକୁ ଏକ୍ସପୋକୁ ଯିବା ଲାଗି ଶେଷ ମୁହୂର୍ତ୍ତରେ ବ୍ୟବହାର କରାଯାଇଥିଲା।
ଦେଶର ସାମରିକ ଶକ୍ତିକୁ ବିଶ୍ୱସ୍ତରରେ ପ୍ରଦର୍ଶିତ କରିବାର ଅବସର ଦେଉଥିବା ଡିଫେନ୍ସ ଏକ୍ସପୋରେ ଚଳିତ ବର୍ଷ ୬୭୦ଟି ପ୍ରତିରକ୍ଷା ସାମଗ୍ରୀ ନିର୍ମାତା ଅଂଶ ଗ୍ରହଣ କରୁଛନ୍ତି। ଏଥିରେ ବିଦେଶରୁ ଆସିଥିବା ୧୫୦ଟି କମ୍ପାନି ମଧ୍ୟ ସେମାନଙ୍କ ପ୍ରତିରକ୍ଷା ସାମଗ୍ରୀ ପ୍ରଦର୍ଶନ କରୁଛନ୍ତି। ଏହି ଏକ୍ସପୋ ମାଧ୍ୟମରେ ଭାରତୀୟ କମ୍ପାନିଗୁଡ଼ିକ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରତିରକ୍ଷା ସାମଗ୍ରୀର ପ୍ରଦର୍ଶନ କରିବାର ସୁଯୋଗ ଲାଭ କରିବ।