ଗୁଜରାଟରେ ମୋଦୀ, ହିମାଚଳରେ କଂଗ୍ରେସ

ନୂଆଦିଲ୍ଲୀ : ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ପୂର୍ବର ସବୁ ରେକର୍ଡ ଭାଙ୍ଗି ଐତିହାସିକ ବିଜୟ ହାସଲ କରିଛି। ବିଜେପି ଲଗାତାର ସପ୍ତମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଆଜି ଘୋଷିତ ଫଳାଫଳ ଅନୁଯାୟୀ ବିଜେପି ୧୮୨ ବିଧାନସଭା ଆସନରୁ ୧୫୬ ଆସନରେ ବିଜୟୀ ହୋଇଛି। କଂଗ୍ରେସକୁ ୧୭ଟି ଆସନ ମିଳିଥିବା ବେଳେ ରାଜ୍ୟରେ ପ୍ରଥମ ଥର ପାଇଁ ବିଧାନସଭା ଲଢ଼େଇରେ ଅବତୀର୍ଣ୍ଣ ହୋଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ୫ଟି ଆସନରେ ସୀମିତ ରହିଛି ଏବଂ ଅନ୍ୟମାନଙ୍କୁ ୪ଟି ଆସନ ମିଳିଛି। ବିଜେପି ୨୦୦୨ ନିର୍ବାଚନରେ ନିଜର ରେକର୍ଡ (୧୨୭ ଆସନ)କୁ ଭାଙ୍ଗିଛି ଏବଂ ୧୯୮୫ରେ କଂଗ୍ରେସ ୧୪୯ ଆସନ ହାସଲ କରି ଯେଉଁ ରେକର୍ଡ କରିଥିଲା ତାହାକୁ ମଧ୍ୟ ଆଜି ଧ୍ବସ୍ତ କରିଦେଇଛି। ବିଜେପି ନେତାମାନେ ଏହି ବିଜୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାର ସୁନାମୀ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଏକ ବଡ଼ ବିଜୟ ମିଳିଛି। ରାଜ୍ୟର ୬୮ ଆସନରୁ କଂଗ୍ରେସ ୪୦ ଆସନରେ ବିଜୟ ହାସଲ କରିଥିବା ବେଳେ ବିଜେପିକୁ ୨୫ ଆସନ ଏବଂ ଅନ୍ୟମାନଙ୍କୁ ୩ଟି ଆସନ ମିଳିଛି। ରାଜ୍ୟରେ ପ୍ରତି ୫ ବର୍ଷରେ ଥରେ ସରକାର ବଦଳିବା ପରମ୍ପରା କାଏମ ରହିବା କଂଗ୍ରେସ ମହଲରେ ଖୁସିର ଲହରି ଖେଳାଇ ଦେଇଛି। ହିମାଚଳ ନିର୍ବାଚନ ଫଳାଫଳ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପରାଜୟ ସ୍ବୀକାର କରି ଇସ୍ତଫା ଦେଇଛନ୍ତି।

The Wire

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍‌ କରି କହିଛନ୍ତି-‘ଧନ୍ୟବାଦ ଗୁଜରାଟ, ଅଭୂତପୂର୍ବ ନିର୍ବାଚନ ଫଳାଫଳ ଦେଖି ମୁଁ ଅଭିଭୂତ। ଜନସାଧାରଣ ବିକାଶର ରାଜନୀତିକୁ ଆଶୀର୍ବାଦ ଦେଇଛନ୍ତି ଏବଂ ଏହାର ଗତି ଆହୁରି ତୀବ୍ର ହେଉ ବୋଲି ଚାହିଛନ୍ତି। ମୁଁ ଗୁଜରାଟର ଜନଶକ୍ତିକୁ ପ୍ରଣାମ କରୁଛି।’

ଗୁଜରାଟରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହ ୧୨ ଡିସେମ୍ବର ଅପରାହ୍ନ ୨ଟାରେ ଅନୁଷ୍ଠିତ ହେବ ବୋଲି ଆଜି ଘୋଷଣା ହୋଇଥିବା ବେଳେ ହିମାଚଳରେ କିନ୍ତୁ କଂଗ୍ରେସ ଅତି ସତର୍କତାର ସହ ପଦକ୍ଷେପ ନେଉଛି। ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିବା ଅନେକ ‌ନେତା ବିଧାୟକ ନିର୍ବାଚିତ ହୋଇଥିବାରୁ କଂଗ୍ରେସ ଆଦୌ ରିସ୍କ୍‌ ନେବାକୁ ଚାହୁନାହିଁ ଏବଂ ବିଧାୟକମାନେ ବିଜୟ ପ୍ରମାଣପତ୍ର ହାସଲ କରିବା ପରେ ସେମାନଙ୍କୁ ସରକାର ଗଠନ ପର୍ଯ୍ୟନ୍ତ ରାଜସ୍ଥାନ କିମ୍ବା ଚଣ୍ଡିଗଡ଼ରେ ରଖିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ହିମାଚଳରେ ଦଳର ବିଜୟ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ରାଜ୍ୟର ଜନସାଧାରଣଙ୍କୁ ନିର୍ଣ୍ଣାୟକ ବିଜୟ ପାଇଁ ଧନ୍ୟବାଦ। ଜନସାଧାରଣଙ୍କୁ ଆମେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ଶୀଘ୍ର ପୂରଣ କରିବୁ। ଗୁଜରାଟରେ ଦଳର ପରାଜୟ ନେଇ ରାହୁଲ କହିଛନ୍ତି ଯେ ଜନାଦେଶକୁ ଆମେ ବିନମ୍ରତାର ସହ ସ୍ବୀକାର କରୁଛୁ ଏବଂ ଆଗକୁ ଦଳକୁ ପୁନର୍ଗଠନ କରି ଲଢ଼େଇ ଜାରି ରଖିବୁ।

ସମ୍ବନ୍ଧିତ ଖବର