ଆବେଙ୍କ ଅନ୍ତ୍ୟେଷ୍ଟିରେ ମୋଦୀ, ପତ୍ନୀଙ୍କୁ ଭେଟି ସମବେଦନା ଜଣାଇଲେ

ଭାରତ-ଜାପାନ ବନ୍ଧୁତାକୁ ନୂଆ ଶିଖରରେ ପହଞ୍ଚାଇଥିଲେ ଆବେ

ନୂଆଦିଲ୍ଲୀ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଯୋଗ ଦେଇଛନ୍ତି। ୧୦୦ରୁ ଅଧିକ ରାଷ୍ଟ୍ରର ପ୍ରତିନିଧି ଏବଂ ୨୦ରୁ ଅଧିକ ରାଷ୍ଟ୍ର ମୁଖ୍ୟ ଆବେଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେଇଛନ୍ତି। ମୋଦୀ ଆଜି ଆବେଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ। ଆବେଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଥିବାର ଏକ ଫଟୋ ଟ୍ବିଟ୍‌ କରି ମୋଦୀ କହିଛନ୍ତି, ସିଂଜୋ ଆବେ ଜଣେ ବିଶାଳ ବ୍ୟକ୍ତିତ୍ବ ଥିଲେ। ସେ ଭାରତ-ଜାପାନ ବନ୍ଧୁତାରେ ବିଶ୍ବାସ କରୁଥିଲେ ଏବଂ ଦୁଇ ଦେଶର ବନ୍ଧୁତାକୁ ନୂଆ ଶିଖରରେ ପହଞ୍ଚାଇଥିଲେ। କୋଟି କୋଟି ଲୋକଙ୍କ ହୃଦୟରେ ସେ ରହିବେ। ଆମେରିକା ଉପରାଷ୍ଟ୍ରପତି କମଳା ହାରିସ ମଧ୍ୟ ଆବେଙ୍କ ଶେଷକୃତ୍ୟରେ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଜୁଲାଇ ୮ରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ନିର୍ବାଚନୀ ଭାଷଣ ଦେଉଥିବା ସମୟ‌ରେ ଗୁଳିମାଡ଼ର ଶିକାର ହୋଇ ପ୍ରାଣ ହରାଇଥିଲେ। ମୋଦୀ ଆଜି ଆବେଙ୍କ ପତ୍ନୀ ଆକି ଆବେଙ୍କୁ ମଧ୍ୟ ଭେଟିଛନ୍ତି। ଆବେଙ୍କ ବିୟୋଗରେ ‌ଯେଉଁ କ୍ଷତି ହୋଇଛି ମୋଦୀ ସେଥିପାଇଁ ଗଭୀର ଶୋକବ୍ୟକ୍ତ କରିଛନ୍ତି ଏବଂ ଆକି ଆବେଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର