ମାଳଦ୍ବୀପ‌ରେ ମୋଦୀ, ଚୀନ୍‌ର ପ୍ରଭାବ କମିବ

ରାଷ୍ଟ୍ରପତି ସୋଲିହଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଲେ

ମାଲେ: ମାଳଦ୍ବୀପର ନବ ନିର୍ବାଚିତ ରାଷ୍ଟ୍ରପତି ଇବ୍ରାହିମ୍‌ ମହମ୍ମଦ ସୋଲିହଙ୍କ ଶପଥ ଗ୍ରହଣ ଉତ୍ସବରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସହ ଦୁଇ ଦେଶ ମଧ୍ୟରେ ସଂପର୍କର ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ମାଲେ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିବା ବେଳେ ସଂସଦର ବାଚସ୍ପତି ଅବଦୁଲ୍ଲା ମସିହ ତାଙ୍କୁ ପାଛୋଟି ନେଇଥିଲେ। ଏହି ଅବସରରେ ଦେଶର ପ୍ରମୁଖ ନେତୃବୃନ୍ଦ ମୋଦୀଙ୍କ ସ୍ବାଗତ ପାଇଁ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କର ଏହା ପ୍ରଥମ ମାଳଦ୍ବୀପ ଗସ୍ତ ହୋଇଥିବା ବେଳେ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା କ୍ଷେତ୍ରରେ ଏହା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି। ଦୀର୍ଘ ୫ ବର୍ଷ ଧରି ଚୀନ୍‌ର ପ୍ରଭାବରେ ରହିଥିବା ମାଳଦ୍ବୀପ ଭୟଙ୍କର ଭାବେ ଋଣଗ୍ରସ୍ତ ହୋଇଛି ଏବଂ ଭାରତ ସହ ଏହାର ସଂପର୍କ ମଧ୍ୟ ତିକ୍ତ ହୋଇଉଠିଥିଲା। ଏବେ ମାଳଦ୍ବୀପର ନୂତନ ସରକାର ଚୀନ୍‌ର ପ୍ରଭାବରୁ ମୁକ୍ତ ହୋଇ ଭାରତ ସହ ସଂପର୍କ ସୁଦୃଢ଼ କରିବାକୁ ଚାହୁଥିବା ସଙ୍କେତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆଜି କହିଛନ୍ତି ଯେ ତାଙ୍କ ସରକାର ମାଳଦ୍ବୀପର ବିକାଶ ପାଇଁ ମିଳିତ ଭାବେ କାମ କରିବାକୁ ଆଗ୍ରହୀ ଅଛନ୍ତି ଏବଂ ଆଞ୍ଚଳିକ ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ ରାଷ୍ଟ୍ର ନିଷ୍ଠାର ସହ କାର୍ଯ୍ୟକରିବେ।

ସମ୍ବନ୍ଧିତ ଖବର