ମାଳଦ୍ବୀପରେ ମୋଦୀ: ଟାର୍ଗେଟ୍‌ରେ ଚୀନ୍‌, ପାକିସ୍ତାନ

ମୋଦୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ, ସଂସଦରେ ଉଦ୍‌ବୋଧନ ଦେଲେ

ମାଲେ: ୨୦୧୯ ଲୋକସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରି ଦ୍ବିତୀୟ ଥର ପାଇଁ କ୍ଷମତାକୁ ଫେରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଆଜି ମାଳଦ୍ବୀପ ଯାଇଛନ୍ତି। ମାଳଦ୍ବୀପ ସଂସଦରେ ଉଦ୍‌ବୋଧନ ଦେଇ ଆଜି ମୋଦୀ ଚୀନ୍‌ ଓ ପାକିସ୍ତାନକୁ ଟାର୍ଗେଟ୍‌ କରିଛନ୍ତି। ଚୀନ୍‌ ମାଳଦ୍ବୀପକୁ ଋଣ ଭାରରେ ବୁଡ଼ାଇ ରଖିଥିବାରୁ ପ୍ରଧାନମନ୍ତ୍ରୀ ଏହି ପ୍ରସଂଗରେ ଚୀନ୍‌କୁ ଘେରିଥିଲେ। ଭାରତର ମିତ୍ରତା କାହା ଉପରେ ଋଣ ବୋଝ ଲଦିବା ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପାକିସ୍ତାନର ନାମ ନନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆତଙ୍କବାଦ ଏବେ ବିଶ୍ବ ପାଇଁ ସବୁଠାରୁ ବଡ଼ ବିପଦ ପାଲଟିଯାଇଛି ଏବଂ କେତେକ ରାଷ୍ଟ୍ର ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ମାନବତାର ଶତ୍ରୁ ପାଲଟିଛନ୍ତି। ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ରାଷ୍ଟ୍ର ସେମାନଙ୍କ ନୀତି ବଦଳାଇବାବାକୁ ବାଧ୍ୟ ବୋଲି ମୋଦୀ କହିଥିଲେ।

ଭାରତର ‘ପଡ଼ୋଶୀ ପ୍ରଥମ’ ନୀତି ଅନୁଯାୟୀ ଏଥର ମାଳଦ୍ବୀପକୁ ଅଧିକ ଗୁରୁତ୍ବ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆଜି ମାଳଦ୍ବୀପର ରାଜଧାନୀ ମାଲେରେ ପହଂଚିବା ପରେ ତାଙ୍କୁ ବିମାନ ବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ମାଳଦ୍ବୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଳଦ୍ବୀପ ରାଷ୍ଟ୍ରପତିଙ୍କୁ ଭାରତୀୟ କ୍ରିକେଟ୍‌ ଟିମ୍‌ର ସ୍ବାକ୍ଷର ଥିବା ଏକ ବ୍ୟାଟ୍‌ ଉପହାର ଦେଇଥିଲେ। ପ୍ରତିନିଧିସ୍ତରୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ସ୍ବତନ୍ତ୍ର ଉତ୍ସବରେ ମାଳଦ୍ବୀପର ସର୍ବୋଚ୍ଚ ସମ୍ମାନ ‘ନିଶାନ୍‌ ଇଜୁଦ୍ଦିନ’ ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଏହି ସମ୍ମାନ ପ୍ରସଙ୍ଗରେ କହିଥିଲେ ଯେ ଏବେ ମାଳଦ୍ବୀପର ନୂତନ ସରକାର ଦେଶକୁ ବିକାଶର ରାସ୍ତାରେ ଆଗକୁ ନେଉଛନ୍ତି। ମତେ ମାଳଦ୍ବୀପର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରି ସମଗ୍ର ଭାରତକୁ ଗୌରାବାନ୍ବିତ କରାଯାଇଛି । ଦୁଇ ଦେଶ ମଧ୍ୟରେ ବନ୍ଧୁତା ଆହୁରି ପ୍ରଗାଢ଼ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ମାଳଦ୍ବୀପକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ କାହିଁକି?
ଭାରତର ‘ପଡ଼ୋଶୀ ପ୍ରଥମ’ ନୀତିରେ ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରଥମ ବିଦେଶ ଗସ୍ତ ପାଇଁ ମାଳଦ୍ବୀପକୁ ବାଛିବା ପଛରେ ଅନେକ ଗୁରୁତ୍ବପୂର୍ଣ୍ଣ କାରଣ ରହିଛି। ଦକ୍ଷିଣ ଏସିଆରେ ଶାନ୍ତି ଓ ସ୍ଥିରତା ପାଇଁ ମାଳଦ୍ବୀପ ଓ ଶ୍ରୀଲଙ୍କାକୁ ଦୁଇ ପ୍ରମୁଖ ରଣନୀତିକ ସହଯୋଗୀ ଭାବେ ଗ୍ରହଣ କରି ଭାରତ କାର୍ଯ୍ୟ ଆରମ୍ଭ କରିଛି। ଚୀନ୍‌ର ଋଣଭାରରେ ବୁଡ଼ି ରହିଥିବା ମାଳଦ୍ବୀପରେ ଭାରତ ବିପୁଳ ପୁଂଜି ନିବେଶ କରିଛି ଏବଂ ସାମରିକ କ୍ଷେତ୍ରରେ ମଧ୍ୟ ଅନେକ ସହାୟତା ଯୋଗାଇ ଆସୁଛି। ମାଳଦ୍ବୀପ ସେନାକୁ ତାଲିମ ପ୍ରଦାନଠାରୁ ଆରମ୍ଭ କରି ଦକ୍ଷତା ବିକାଶ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଭାରତ ଲଗାତାର ସହାୟତା କରି ଆସୁଛି। ଗତ ନଭେମ୍ବର ମାସରେ ମାଳଦ୍ବୀପ ରାଷ୍ଟ୍ରପତି ଇବ୍ରାହିମ୍‌ ସୋଲିହଙ୍କ ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ଗସ୍ତ କରିଥିଲେ। ତେବେ ଏହା ପୂର୍ଣ୍ଣ ଦ୍ବିପାକ୍ଷିକ ଗସ୍ତ ନଥିଲା ତେଣୁ ଦ୍ବିତୀୟ ପାଳି ସରକାରରେ ମୋଦୀ ପ୍ରଥମେ ମାଳଦ୍ବୀପକୁ ବାଛିଲେ। ମାଳଦ୍ବୀପ ସରକାର ଭାରତକୁ ଏବେ ବିପଦର ବନ୍ଧୁ ଭାବେ ଗ୍ରହଣ କରିଛନ୍ତି ଏବଂ ଚୀନ୍‌ ପ୍ରତି ଆଦୌ ଭରସା କରୁନାହାନ୍ତି। ପୂର୍ବ ରାଷ୍ଟ୍ରପତି ଅବଦୁଲ୍ଲା ୟମିନଙ୍କ ଭାରତ ବିରୋଧୀ ଆଭିମୁଖ୍ୟ ଯୋଗୁଁ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କ ପ୍ରଭାବିତ ହୋଇଥିଲା। ଅବଦୁଲ୍ଲା ଚୀନ୍‌ର ଦୃଢ଼ ସମର୍ଥକ ଥିଲେ।

ସମ୍ବନ୍ଧିତ ଖବର