‘ମନ୍ କୀ ବାତ୍‌‘ରେ ମୋଦୀଙ୍କ ଉଦ୍‌ବୋଧନ: ‘ମୁଁ କ୍ଷମତା ଚାହେଁ ନାହିଁ, ଲୋକଙ୍କ ସେବା କରିବାକୁ ଚାହେଁ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୮୩ତମ ମନ୍ କୀ ବାତ୍‌ ରେଡ଼ିଓ କାର୍ଯ୍ୟକ୍ରମରେ ଆଜି କହିଛନ୍ତି ଯେ କ୍ଷମତା ପାଇଁ ତାଙ୍କର କୌଣସି ଲୋଭ ନାହିଁ ଏବଂ ସେ କେବଳ ଲୋକଙ୍କ ସେବା କରିବାକୁ ଚାହାନ୍ତି। ଆୟୁଷ୍ମାନ୍ ଭାରତ ଯୋଜନାର ଜଣେ ହିତାଧିକାରୀଙ୍କ ସହ ବାର୍ତ୍ତାଳାପ କରିବା ଅବସରରେ ଏହି ଯୋଜନା ଗରିବ ଲୋକଙ୍କୁ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବା ପାଇଁ ଉଦ୍ଦିଷ୍ଟ ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଉଦ୍‌ବୋଧନରେ ଭାରତର ଷ୍ଟାର୍ଟ-ଅପ୍‌ଗୁଡ଼ିକୁ ପ୍ରଶଂସା କରିଥିଲେ ଏବଂ ଆମେ ଭାରତର ଅଭିବୃଦ୍ଧି କାହାଣୀର ଏକ ମୋଡ଼ (ଟର୍ନିଂ ପଏଣ୍ଟ)ରେ ରହିଛୁ ବୋଲି କହିଥିଲେ। ଯୁବବର୍ଗ କେବଳ ଚାକିରି ଖୋଜନ୍ତି ନାହିଁ, ସେମାନେ ନିଯୁକ୍ତି ସୃଷ୍ଟି ବି କରନ୍ତି। ଭାରତରେ ବର୍ତ୍ତମାନ ୭୦ଟି ୟୁନିକର୍ଣ୍ଣ ରହିଛି। ୟୁନିକର୍ଣ୍ଣ ହେଉଛି ୧୦୦ କୋଟି ଡଲାରରୁ ଊର୍ଦ୍ଧ୍ବ ମୂଲ୍ୟର ଘରୋଇ ଷ୍ଟାର୍ଟ-ଅପ୍ କମ୍ପାନି। ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ପରି ଏକ ଯୁବ-ଜନସଂଖ୍ୟାବହୁଳ ଦେଶର ତିନୋଟି ଗୁଣ ରହିଛି: ନୂତନ ଚିନ୍ତାଧାରା ଓ ନବୋଦ୍ଭାବନ, ବିପଦ (ରିସ୍କ) ବରଣ କରିବାର କ୍ଷମତା ଏବଂ ପାରିବା ପଣର ଆତ୍ମପ୍ରତ୍ୟୟ। ଏହା ସହିତ ପ୍ରକୃତି ସୁରକ୍ଷାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେବା ସହ ସଶସ୍ତ୍ର ସେନା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶେଷରେ ସେ କହିଥିଲେ ଯେ କୋଭିଡ୍‌-୧୯ ମହାମାରୀ ଏପର୍ଯ୍ୟନ୍ତ ଯାଇ ନାହିଁ ଏବଂ ସେଥିପାଇଁ ଲୋକଙ୍କୁ ସାବଧାନରେ ଚଳିବାକୁ ପଡ଼ିବ।

ପ୍ରଧାନମନ୍ତ୍ରୀ କହିଲେ ଯେ, ୧୯୭୧ ଯୁଦ୍ଧରେ ପାକିସ୍ତାନ ଉପରେ ଭାରତ ବିଜୟର ୫୦ତମ ବାର୍ଷିକୀ ଆସନ୍ତା ମାସରେ ପାଳନ କରାଯିବ। ଏହି ଅବସରରେ ସେ ଆମର ସଶସ୍ତ୍ର ବୀର ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମୋଦୀ କହିଥିଲେ, ଆଉ ଦୁଇଦିନ ପରେ ଡିସେମ୍ବର ମାସ ଆରମ୍ଭ ହେବ। ଭାରତ ନୌସେନା ଦିବସ ଓ ସଶସ୍ତ୍ର ସେନା ଝଣ୍ଡା ଦିବସ ପାଳନ କରିବ। ଭାରତ ମଧ୍ୟ ଡିସେମ୍ବର ୧୬ରେ ୧୯୭୧ ଯୁଦ୍ଧର ସୁବର୍ଣ୍ଣ ସମ୍ବତ୍ସର ପାଳନ କରିବ। ଏହି ଅବସରରେ ସେ ଆମର ବୀର ଯବାନଙ୍କୁ ସ୍ମରଣ କରିବାକୁ ଚାହାନ୍ତି ବୋଲି କହିଥିଲେ।

ସମ୍ବନ୍ଧିତ ଖବର