‘ମନ୍‌ କୀ ବାତ୍‌’ରେ କୋଭିଡ୍‌ ଯୋଦ୍ଧାଙ୍କୁ ପ୍ରଶଂସା କଲେ ମୋଦୀ, ସାତ ବର୍ଷର ‘ସବ୍‌ କା ସାଥ୍‌, ସବ୍‌ କା ବିକାଶ’ ମନେ ପକେଇଲେ

ମେଡିକାଲ୍‌ ଅକ୍ସିଜେନ୍‌ ଉତ୍ପାଦନ ୧୦ ଗୁଣ ବଢ଼ିଛି

ନୂଆଦଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୭୭ତମ ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ଆଜି ସମଗ୍ର ଦେଶବାସୀ କିପରି ବିଗତ ୭ ବର୍ଷ ହେଲା ଏକଜୁଟ୍‌ ହୋଇ ବିଭିନ୍ନ ପ୍ରତିକୂଳ ପରିବେଶ ସହ ଲଢ଼ି ଆସିଛନ୍ତି ତାହାର ଅବତାରଣା କରିଛନ୍ତି। ବିଶେଷ କରି ଗତ ଶହେ ବର୍ଷ ଭିତରେ ଆବିର୍ଭୂତ ହୋଇଥିବା ସବୁଠୁ ସଂକ୍ରାମକ ମହାମାରୀ କୋଭିଡ୍‌-୧୯ ସମେତ ଏହାର ପ୍ରାଦୁର୍ଭାବ ଭିତରେ ନିକଟରେ ଦେଶର ପଶ୍ଚିମ ତଟରେ ବିଭୀଷିକା ରଚାଇଥିବା ମହାବାତ୍ୟା ତୌକ୍‌ତେ ଓ ପୂର୍ବ ଉପକୂଳରେ ଅନୁରୂପ ୟାସ୍‌ ବାତ୍ୟାର ମଧ୍ୟ ଦେଶ ସଫଳ ମୁକାବିଲା କରିଛି। ଆମମାନଙ୍କର ସାମୂହିକ ଶକ୍ତି ଓ ସେବା କରିବାର ମନୋବୃତ୍ତି ହିଁ ଦେଶକୁ ବିଭିନ୍ନ ବିପତ୍ତିରୁ ମୁକୁଳାଇ ପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିପରି ଗତ ୧୦ ଦିନ ଭିତରେ ଦେଶ ସାମନା କରିଥିବା ଦୁଇ ଦୁଇଟି ବଡ଼ ବାତ୍ୟାରେ ଅଦମ୍ୟ ସାହସ, ଧୈର୍ଯ୍ୟ ଓ ଶୃଙ୍ଖଳା ପ୍ରଦର୍ଶନ କରିଥିବା ଜନତା ବିଶେଷ କରି ଉପକୂଳବାସୀଙ୍କୁ ସେ ବଧେଇ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ସରକାରର ସାତବର୍ଷ ପୂରଣ ଅବସରରେ କହିଛନ୍ତି ଯେ ଏହି ସାତବର୍ଷ କାଳ ‘ସବ୍‌ କା ସାଥ୍‌, ସବ୍‌ କା ବିକାଶ’ ମନ୍ତ୍ରକୁ ଦେଶ ଆପଣେଇପାରିଛି। ସେହିପରି ଦେଶ ବିଶ୍ବ ଦରବାର ଆଗରେ ଡିଜିଟାଲ୍‌ ନେଣଦେଣର ଏକ ନୂତନ ଦିଶା ପ୍ରଦର୍ଶନ କରିଥିବା ସେ କହିଛନ୍ତି। ଏହି ଅବସରରେ ଆମେ ମହାକାଶକୁ ରେକର୍ଡ ସଂଖ୍ୟକ କୃତ୍ରିମ ଉପଗ୍ରହ ପ୍ରେରଣ କରିବା ସହ ରାସ୍ତାଘାଟ ନିର୍ମାଣରେ ମଧ୍ୟ ରେକର୍ଡ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ସେ ତାଙ୍କ ସରକାରର ବିଭିନ୍ନ ଉପଲବ୍‌ଧି ବର୍ଣ୍ଣନା କରିବା ଅବସରରେ ମହାମାରୀ କୋଭିଡ୍‌-୧୯ର ଦ୍ବିତୀୟ ଲହର ସଂକ୍ରମଣର ଭୟାବହତା ବେଳେ ଅମ୍ଳଜାନ ଅଭାବର ଭରଣା କରିବା ପାଇଁ ନିୟୋଜିତ ଥିବା ସମ୍ମୁଖଭାଗ ଯୋଦ୍ଧାଙ୍କ ସହ କଥା ହୋଇଥିଲେ।

ନିପଟ ଅପନ୍ତରା ଗ୍ରାମାଞ୍ଚଳମାନଙ୍କ ପାଇଁ ଅତିଶୟ କୋଭିଡ୍‌ ପୀଡ଼ିତଙ୍କ ପାଖରେ ଅତ୍ୟାବଶ୍ୟକ ଅମ୍ଳଜାନ ଉପଲବ୍‌ଧ ହେବା କାଠିକର ପାଠ ହୋଇଥିଲା। ମାତ୍ର ସଂପୃକ୍ତ ଅମ୍ଳଜାନ ଟ୍ୟାଙ୍କରଗୁଡ଼ିକର ଚାଳକମାନେ ହିଁ ଅହରହ ଉଦ୍ୟମ କରି ଗୁରୁତର ରୋଗୀଙ୍କ ମୁହଁରେ ହସ ଫୁଟାଇପାରିଥିଲେ। ସେହିପରି ଦେଶର ସମ୍ପ୍ରତି ଡାକ୍ତରଖାନା ଉପଯୋଗୀ ଅମ୍ଲଜାନ ଉତ୍ପାଦନ ପୂର୍ବାପେକ୍ଷା ଦଶଗୁଣା ବଢ଼ିଛି। ଆଗରୁ ଦିନକୁ ପ୍ରାୟ ୯୦୦ ମେଟ୍ରିକ୍‌ ଟନ୍‌ ଅମ୍ଳଜାନ ବାହାରୁଥିବା ବେଳେ ଏବେ ତାହା ୯,୫୦୦ ମେଟ୍ରିକ୍‌ ଟନ୍‌ରେ ପହଞ୍ଚିବା ଗର୍ବର ବିଷୟ ବୋଲି ସେ କହିଛନ୍ତି। ଗତବର୍ଷ ମହାମାରୀର ଆବିର୍ଭାବ ବେଳେ ଦୈନିକ ମାତ୍ର ହଜାରେ ଭିତରେ ନମୁନା ପରୀକ୍ଷଣ କରାଯିବାର ସୁବିଧା ଥିଲା ବେଳେ ଏବେ ଦିନକୁ ୨୦ ଲକ୍ଷରୁ ଅଧିକ ପରୀକ୍ଷଣ କରାଯାଉଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର