ନୂଆଦିଲ୍ଲୀ: ସୁ୍ପ୍ରିମ କୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗତ ୬୦ ବର୍ଷ ମଧ୍ୟ‌େର ଯେଉଁ ସୁପ୍ରିମ କୋର୍ଟକୁ କୌଣସି ପ୍ରଧାନମନ୍ତ୍ରୀ ଯାଇଥିବାର ନଜିର ନାହିଁ, ସେଠାରେ ମୋଦୀଙ୍କ ଉପସ୍ଥିତି ସମସ୍ତଙ୍କୁ ଚକିତ କରିଥିଲା। କୌଣସି ମାମଲାରେ ହାଜର ହେବାକୁ ନୁହେଁ, ରାତ୍ର ଭୋଜନ ପାଇଁ ଯାଇଥିଲେ ମୋଦୀ। ଏଥିପାଇଁ ତାଙ୍କୁ ନିମନ୍ତ୍ରଣ କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋ‌ଗଇ। କିନ୍ତୁ ମୋଦୀ ଏଭଳି ହାଜର ହୋଇଯିବେ ବୋଲି କେହି କଳ୍ପନା କରିନଥି‌େଲ। କାରଣ ଜବାହରଲାଲ ନେହରୁ ସୁପ୍ରିମ କୋର୍ଟ ବିଲଡିଂର ଉଦ୍‌ଘାଟନ କରିବା ପରେ ଗତ ୬୦ ବର୍ଷ ମଧ୍ୟରେ କୌଣସି ପ୍ରଧାନମନ୍ତ୍ରୀ ସେଠାକୁ ଯାଇ ନଥିଲେ।

Advertisment

ଗତ ନଭେମ୍ବର ୨୫ ତାରିଖ ରାତିର ଘଟଣା। ସୁପ୍ରିମ କୋର୍ଟ ପରିସରରେ ବିମସଟେକ୍ (ବାଂଲାଦେଶ, ଭୁଟାନ, ମ୍ୟାଁମାର, ନେପାଳ ଓ ଥାଇଲାଣ୍ଡ)ର ବିଚାରପତିମାନଙ୍କ ସମ୍ମିଳନୀ ପରେ ରାତ୍ରି ଭୋଜନ ଚାଲିଥାଏ। ଠିକ୍ ରାତି ୮ଟାରେ ସେଠାରେ ପହଂଚିଗଲେ ପ୍ରଧାନମନ୍ତ୍ରୀ ମୋଦୀ। ତାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୯ଟା ୩୦ ମିନିଟ ପର୍ଯ୍ୟନ୍ତ ରାତ୍ରି ଭୋଜନ ଚାଲିଥିଲା। ମୋଦୀ ସମସ୍ତ ବିଚାରପତିଙ୍କ ସହିତ ବାର୍ତାଳାପ କରିଥିଲେ। ରାତ୍ରିଭୋଜନ ସମୟ ଶେଷ ହୋଇଥିଲେ ମଧ୍ୟ ‌ମୋଦୀ ଫେରିବା ମୁଡରେ ନଥିଲେ। ସେ ପ୍ରଧାନ ବିଚାରପତିଙ୍କ କୋର୍ଟ ରୁମ୍ ଦେଖିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏହାପରେ ସେ ପ୍ରଧାନ ବିଚାରପତି ଓ ଅନ୍ୟମାନଙ୍କ ସହିତ ଏହି କୋର୍ଟ ରୁମ୍ ନମ୍ବର-୧କୁ ଯାଇଥିଲେ। ସେ ଆଗଧାଡ଼ିରେ ଯାଇ ବସିଯାଇଥି‌େଲ। ଏହି ଧାଡ଼ିରେ ବରିଷ୍ଠ ଓକିଲମାନେ ବସନ୍ତି। ଏହି ସମୟରେ ଜଷ୍ଟିସ ଗୋଗଇଙ୍କ ଠାରୁ ବିଭିନ୍ନ କଥା ବୁଝିଥିଲେ। ଜଷ୍ଟିସ ଗୋଗଇଙ୍କ ଅନୁରୋଧ କ୍ରମେ ପ୍ରଧାନମନ୍ତ୍ରୀ ଚା’ ପିଇଥିଲେ। ରାତି ୧୦ଟା ପରେ ସେଠାରୁ ‌େଫରିଥିଲେ।

ସୂଚନାଯୋଗ୍ୟ ଏହି କୋର୍ଟ ରୁମ୍ ନମ୍ବର-୧ରେ ପ୍ରଧାନ ବିଚାରପତିଙ୍କର କୋର୍ଟ ଚାଲେ। ଏବେ ରାଫେଲ ଓ ସିବିଆଇ ଝଗଡ଼ା ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ବିଚାର ଚାଲିଛି। ଏହି ମାମଲାର ବିଚାର ସହିତ କେନ୍ଦ୍ର ସରକାରଙ୍କର ଭାଗ୍ୟ ଯୋଡ଼ି ହୋଇ ରହିଛି। ତେବେ ଗୁଜରାଟ ଦଙ୍ଗା ମାମଲାର ଶୁଣାଣି ଅନ୍ୟ ଏକ କୋର୍ଟ ରୁମରେ ହେଉଛି। ଏହି ମାମଲାରେ ମୋଦୀଙ୍କୁ ଅଭିଯୁକ୍ତ କରିଛନ୍ତି ଜକିଆ ଜାଫ୍‌ରି।