ଅରୁଣାଚଳର ପ୍ରଥମ ଗ୍ରିନଫିଲ୍ଡ ବିମାନବନ୍ଦର ଉଦ୍‌ଘାଟନ କଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଅରୁଣାଚଳ ପ୍ରଦେଶରେ ପ୍ରଥମ ଗ୍ରିନଫିଲ୍ଡ ବିମାନବନ୍ଦର ଉଦ୍‌ଘାଟନ କରିଛନ୍ତି। ରାଜ୍ୟ ରାଜଧାନୀ ଇଟାନଗରଠାରୁ ୧୫ କିମି ଦୂର ହଲ୍ଲୋଙ୍ଗିଠାରେ ନିର୍ମାଣ ହୋଇଥିବା ଏହି ପ୍ରଥମ ଗ୍ରିନ୍‌ଫିଲ୍ଡ ବିମାନବନ୍ଦରର ନାମ ହେଉଛି ଡୋନି ପୋଲୋ ବିମାନବନ୍ଦର। ଏହି ବିମାନବନ୍ଦର ଦ୍ବାରା ସୀମାନ୍ତ ରାଜ୍ୟ ଅନ୍ୟ ଭାରତୀୟ ସହର ସହ ଯୋଡ଼ି ହୋଇପାରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ରେ ଏହି ବିମାନବନ୍ଦରର ଶିଳାନ୍ୟାସ କରିଥିଲେ। ୬୯୦ ଏକରରୁ ଅଧିକ ପରିବ୍ୟାପ୍ତ ଅଞ୍ଚଳରେ ୬୪୦ କୋଟି ଟଙ୍କା ବ୍ୟୟରେ ଏହି ବିମାନବନ୍ଦର ନିର୍ମାଣ ହୋଇଛି। ୨୩୦୦ ମିଟର ରନ୍‌ୱେ ଥିବା ଏହି ବିମାନବନ୍ଦର ସବୁ ଋତୁରେ ପରିଚାଳିତ ହୋଇପାରିବ। ଅରୁଣାଚଳପ୍ରଦେଶରୁ ଆସିଥିବା କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଏଥିପାଇଁ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରିଜିଜୁ କହିଛନ୍ତି, ରାଜ୍ୟ ରାଜଧାନୀରେ ଏକ ବିମାନବନ୍ଦର ଆମର ସ୍ବପ୍ନ ଥିଲା‌। ଅନ୍ୟପକ୍ଷେ କିରେନ ରିଜିଜୁଙ୍କର ଆଜି ଜନ୍ମଦିନ ଥିବାବେଳେ ମୋଦୀ ରିଜିଜୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଏବଂ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘାୟୁ କାମନା କରିଛନ୍ତି।

ସମ୍ବନ୍ଧିତ ଖବର