ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଟଳ ଟନେଲ୍ ଉଦ୍ଘାଟନ କରିଛନ୍ତି। ଏହା ବିଶ୍ବର ସବୁଠୁ ଲମ୍ବା ରାଜପଥ ସୁଡ଼ଙ୍ଗ। ୧୦ ହଜାର ଫୁଟ୍ ଉଚ୍ଚତାରେ ଥିବା ଏହି ସୁଡ଼ଙ୍ଗର ଉଦ୍ଘାଟନୀ ଉତ୍ସବ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସିଡିଏସ୍ ବିପିନ ରାୱତ ଉପସ୍ଥିତ ଥିଲେ। ଅଟଳ ସୁଡ଼ଙ୍ଗ ଖୋଲିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି। ଲେହ ଏବଂ ଲଦାଖର ଲୋକଙ୍କ ପାଇଁ ଏହା ଏକ ଜୀବନରେଖା ପାଲଟିଯିବ ବୋଲି ସେ କହିଛନ୍ତି। ବିଆର୍ଓ (ବର୍ଡର ରୋଡ୍ ଅର୍ଗାନାଇଜେସନ୍) ଦ୍ବାରା ଏହି ସୁଡ଼ଙ୍ଗ ନିର୍ମାଣ ହୋଇଛି। ଏହି ରାଜପଥ ସୁଡ଼ଙ୍ଗ ଦ୍ବାରା ମନାଲୀ ଏବଂ ଲେହ ମଧ୍ୟରେ ଦୂରତା ପ୍ରାୟ ୪୬ କିମି କମିଯିବ। ୯.୦୨ କିମିର ଏହି ସୁଡ଼ଙ୍ଗ ମନାଲିକୁ ଲହୌଲ୍ ସ୍ପିଟି ଉପତ୍ୟକା ସହ ସଂଯୋଗ କରିବ। ପୂର୍ବରୁ ଏହି ଉପତ୍ୟକା ପ୍ରତିବର୍ଷ ପ୍ରାୟ ୬ ମାସ ପାଇଁ ପ୍ରବଳ ବରଫପାତ ପାଇଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ।
ସୁଡ଼ଙ୍ଗ ନିର୍ମାଣ ପାଇଁ ୧୦ ବର୍ଷରୁ ଅଧିକ ସମୟ ଲାଗି ଯାଇଥିଲେ ମଧ୍ୟ ଏଥିପାଇଁ ଆକଳନ କରାଯାଇଥିବା ପାଣ୍ଠି ମଧ୍ୟରେ ହିଁ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି। ତେବେ ଆଜିର ଏହି କାର୍ଯ୍ୟକ୍ରମରେ ମୋଦୀ କଂଗ୍ରେସ ଉପରକୁ ପ୍ରବଳ ବର୍ଷିଥିଲେ। ଅଟଳ ଟନେଲ୍ ଉଦ୍ଘାଟନ କରି ମୋଦୀ କହିଥିଲେ, କଂଗ୍ରେସ ଶାସନରେ ଭାରତର ପ୍ରତିରକ୍ଷା ସ୍ବାର୍ଥରେ ସାଲିସ କରାଯାଇଥିଲା। କିନ୍ତୁ ତାଙ୍କ ସରକାର ପାଇଁ ଦେଶର ସୁରକ୍ଷାଠାରୁ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ନୁହେଁ ବୋଲି ସେ କହିଛନ୍ତି। ସୀମାରେ ଭିତ୍ତିଭୂମି ବିକାଶ ଏବଂ ସୁଦୃଢ଼ ପାଇଁ ତାଙ୍କ ସରକାର ସବୁ ଉଦ୍ୟମ ଲଗାଇ ଦେଇଛନ୍ତି ବୋଲି ମୋଦୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଅଟଳ ବିଜପେୟୀ ସରକାର ଜୁନ୍ ୩, ୨୦୦୦ରେ ରୋହତଗ୍ ପାସ୍ ତଳେ ଏକ ଷ୍ଟ୍ରାଟେଜିକ୍ ସୁଡ଼ଙ୍ଗ ନିର୍ମାଣର ନିଷ୍ପତ୍ତି ନେଇଥିଲେ। ମେ' ୨୬, ୨୦୦୦ରେ ଏଥିପାଇଁ ଶିଳାନ୍ୟାସ କରାଯାଇଥିଲା। ମୋଦୀ ସରକାର ଏହି ରୋହତଗ ସୁଡ଼ଙ୍ଗକୁ ଅଟଳ ସୁଡ଼ଙ୍ଗ ନାମରେ ନାମିତ କରିବାପାଇଁ ନିଷ୍ପତ୍ତି ନେଇଥିଲେ। ଗତ ବର୍ଷ ପରଲୋକ ଗମନ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସମ୍ମାନ ଦେବାକୁ ଯାଇ ଏହି ସୁଡ଼ଙ୍ଗର ନାମ ଅଟଳ ସୁଡ଼ଙ୍ଗ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/gjdgj4j98dg7j98dg7j98dgjgjdgjgjgjddgj.jpg)