୩ଟି ପରୀକ୍ଷା କେନ୍ଦ୍ର ଉଦ୍‌ଘାଟନ କଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ ୩ଟି କୋଭିଡ୍‌ ଟେଷ୍ଟିଂ କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି। ଦେଶରେ କରୋନା ଟେଷ୍ଟିଂ ଦକ୍ଷତା ବଢ଼ାଇବା ସହ କରୋନା ରୋଗକୁ ଆଗୁଆ ଚିହ୍ନଟ କରି ଠିକ୍‌ ସମୟରେ ଏହାର ଚିକିତ୍ସା କରାଯିବା ଲକ୍ଷ୍ୟରେ ଏହି ଉନ୍ନତ ମାନର ଲ୍ୟାବ୍‌ ଆରମ୍ଭ ହୋଇଛି। କରୋନା ନିୟନ୍ତ୍ରଣ ଦିଗରେ ଏହା ବିଶେଷ ସହଯୋଗ କରିବ। ନଏଡାର ଆଇସିଏମ୍‌ଆର- ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କ୍ୟାନ୍‌ସର ପ୍ରିଭେନସନ୍‌ ଆଣ୍ଡ ରିସର୍ଚ୍ଚ, ମୁମ୍ବାଇର ଆଇସିଏମ୍‌ଆର- ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଫର୍‌ ରିସର୍ଚ୍ଚ ଇନ୍‌ ରିପ୍ରଡକ୍ଟିଭ୍‌ ହେଲ୍‌ଥ ଏବଂ କୋଲକାତାର ଆଇସିଏମ୍‌ଆର- ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କଲେରା ଆଣ୍ଡ୍‌ ଏଣ୍ଟେରିଜ୍‌ ଡିଜିଜେସ୍‌ରେ ଏହି ୩ଟି ଲ୍ୟାବ୍‌ ପ୍ରତିଷ୍ଠା ହୋଇଛି।

୩ଟି ଲ୍ୟାବ୍‌କୁ ମୋଦୀ ଭିଡିଓ ଲିଙ୍କ୍‌ ଦ୍ବାରା ଉଦ୍‌ଘାଟନ କରିଛନ୍ତି। ଉପେରାକ୍ତ ଲ୍ୟାବ୍‌ ଗୁଡ଼ିକରେ ଦୈନିକ ୧୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇପାରିବ। ତେବେ କେବଳ କୋଭିଡ୍‌ ନୁହେଁ କୋଭିଡ୍‌ ବାଦ୍‌, ହେପାଟାଇଟିସ୍‌ ବି, ସି , ଏଚ୍‌ଆଇଭି, ଟିବି, ଡେଙ୍ଗୁ ଟେଷ୍ଟ୍‌ ମଧ୍ୟ ହୋଇପାରିବ। ଆଜି ଏହି ୩ଟି ଲ୍ୟାବ୍‌ର ଉଦ୍‌ଘାଟନ ସମୟରେ ମୋଦୀ କହିଛନ୍ତି, ନୂଆ ଟେଷ୍ଟିଂ ସୁବିଧା ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶକୁ କୋଭିଡ୍‌-୧୯ ବିରୋଧରେ ଲଢ଼ିବାପାଇଁ ଅଧିକ ଶକ୍ତି ଯୋଗାଇବ। ଦିଲ୍ଲୀ-ଏନ୍‌ସିଆର, ମୁମ୍ବାଇ ଏବଂ କୋଲକାତାରେ ବଡ଼ ଅର୍ଥନୈତିକ କେନ୍ଦ୍ର ରହିଛି। ଏଠାକୁ ଦେଶର ଲକ୍ଷ ଲକ୍ଷ ଯୁବପିଢ଼ି ସେମାନଙ୍କ ସ୍ବପ୍ନ ପୂରଣ ପାଇଁ ଆସୁଛନ୍ତି। ନୂଆ ଟେଷ୍ଟିଂ ‌କେନ୍ଦ୍ର ଦ୍ବାରା ଦୈନିକ ଅଧିକ ୧୦ ହଜାର ଟେଷ୍ଟ୍‌ ହୋଇପାରିବ ବୋଲି ମୋଦୀ କହିଛନ୍ତି। ଦେଶରେ ଏବେ ୧,୩୦୦ ଟେଷ୍ଟିଂ ଲ୍ୟାବ୍‌ ଥିବାବେଳେ ଦୈନିକ ୫ ଲକ୍ଷରୁ ଅଧିକ ଟେଷ୍ଟ୍‌ କରାଯାଉଛି।

ସମ୍ବନ୍ଧିତ ଖବର