ଅଯୋଧ୍ୟା: ଅଯୋଧ୍ୟାରେ ନବନର୍ମିତ ଶ୍ରୀରାମ ମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ସାରା ଦେଶରେ ଉତ୍ସାହ ଜାରି ରହିଛି । ଏହି ସମାରୋହର ସମସ୍ତ ରୀତିନୀତି ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାର ରାମ ମନ୍ଦିର ପରିସରରେ ଥିବା କୁବେର ଟିଲାରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ଏଠାରେ ଥିବା ଶିବ ମନ୍ଦିରରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ସହ ଜଟାୟୁଙ୍କ ମୂର୍ତ୍ତି ଉନ୍ମୋଚନ କରିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ନିୟୋଜିତ ଶ୍ରମିକମାନଙ୍କୁ ଫୁଲ ବର୍ଷା କରିଥିଲେ।

Advertisment

ଜଟାୟୁ ରାମାୟଣର ଜଣେ ପ୍ରସିଦ୍ଧ ପକ୍ଷୀ ଚରିତ୍ର । ଯେତେବେଳେ ରାବଣ ସୀତାଙ୍କୁ ଅପହରଣ କରି ଲଙ୍କା ନେଉଥିଲା, ସେତେବେଳେ ଜଟାୟୁ ରାବଣଙ୍କ ଠାରୁ ସୀତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଏଥିରେ କ୍ରୋଧିତ ହୋଇ ରାବଣ ଜଟାୟୁଙ୍କ ଡେଣା କାଟି ଦେଇଥିଲେ। ଏହା ଫଳରେ ଜଟାୟୁ ତଳକୁ ଖସିପଡ଼ିଥିଲେ । ପରେ ଭଗବାନ ରାମ ସେଠାକୁ ପହଞ୍ଚିବା ପରେ ଜଟାୟୁ ସବୁକଥା କହିଥିଲେ ଓ ପ୍ରାଣତ୍ୟାଗ କରିଥିଲେ । ଏହା ପରେ ଭଗବାନ ରାମ ତାଙ୍କର ଶବସଂସ୍କାର କରିଥିଲେ ।

ସୂଚନାଯୋଗ୍ୟ ଯେ, ରାମ ଜନ୍ମଭୂମି ପରିସରରେ କୁବେର ଟିଲାରେ ଥିବା ପ୍ରାଚୀନ ଶିବ ମନ୍ଦିରର ମଧ୍ୟ ରାମ ମନ୍ଦିର ନିର୍ମାଣ କରୁଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ପୁନରୁଦ୍ଧାର କରାଯାଉଛି ।