ନୂଆଦିଲ୍ଲୀ: ବିଭିନ୍ନ ଘାତ ପ୍ରତିଘାତ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଡାହାଣ ହାତ ବିଜେପି ସଭାପତି ଅମିତ ଶାହା ଙ୍କ ପ୍ରଭାବ କମିବା ବଦଳରେ ବଢିବାରେ ଲାଗିଛି । ୨୦୧୪ରେ ବିପୁଳ ବିଜୟ ସହ ଜିତିବା ପରେ ବିଜେପି ଦେଶର ଏବେ ୨୧ଟି ରାଜ୍ୟରେ ଶାସନ କରୁଛି । ଏହା କେବଳ ବ୍ରାଣ୍ଡ୍‌ ମୋଦିର ଲୋକପ୍ରିୟତା ଓ ଆମିତଶାହାଙ୍କ କୁଶଳୀ ଗୋଟି ଚାଳନା ଯୋଗୁଁ ସମ୍ଭବ ହୋଇପାରିଛି । ଏହି କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିର ମାନ୍ୟତା ଦିଆଯାଇଛି । ପ୍ରତିଷ୍ଠିତ ଦୈନିକ ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ପ୍ରସ୍ତୁତ ଦେଶର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ମୋଦି ଓ ଦ୍ୱିତୀୟ ସ୍ଥାନରେ ଅମିତ ଶାହା ଅଛନ୍ତି । ଏହି ତାଲିକାର ୩ୟ ସ୍ଥାନରେ ଅଛନ୍ତି ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଦିପକ ମିଶ୍ର । ୪ର୍ଥ ସ୍ଥାନରେ ଅଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ୫ମ ସ୍ଥାନରେ ଅଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି । କଂଗ୍ରେସ ସଭାପତି ପଦ ଛାଡିଥିଲେ ମଧ୍ୟ ସେ ଏବେବି କଂଗ୍ରେସର ମଙ୍ଗ ସମ୍ଭାଳୁଛନ୍ତି । ୬ଷ୍ଠ ସ୍ଥାନରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ସାରା ଦେଶରେ ମୋଦି ହାଓ୍ଵା ସତ୍ତ୍ୱେ ସେ ପଶ୍ଚିମ ବଙ୍ଗରେ ସବୁଠାରୁ ଲୋକପ୍ରିୟ ନେତା । ୯ ନମ୍ବର ସ୍ଥାନରେ ଅଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ୧୧ ତମ ସ୍ଥାନରେ ଅଛନ୍ତି ରାହୁଲ ଗାନ୍ଧି । ଅନ୍ୟପକ୍ଷରେ ତାଲିକାର ୩୦ତମ ସ୍ଥାନରେ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ୩୨ତମ ସ୍ଥାନରେ ଅଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।