ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଞ୍ଚରେ ଏକ ନିର୍ବାଚନୀ ସମାବେଶରେ ସୋମବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପିଏମ ମୋଦୀ ଆଉ ପୂର୍ବ ଭଳି ନାହାନ୍ତି।

Advertisment

ରାହୁଲ ଦାବି କରିଛନ୍ତି ଯେ ତାଙ୍କ ଦଳ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ମାନସିକ ଭାବେ ନରେନ୍ଦ୍ର ମୋଦୀଙ୍କୁ ଶେଷ  କରି ଦେଇଛନ୍ତି। ସେ କହିଛନ୍ତି, ଆଜିର ନରେନ୍ଦ୍ର ମୋଦୀଙ୍କୁଚ ଆପଣ ପୂର୍ବରୁ ଦେଖି ନ ଥିଲେ। ଆମେ ତାଙ୍କ ସାମ୍ନାରେ ଠିଆ ହୋଇ ତାଙ୍କୁ ପରିବର୍ତ୍ତନ ହେବାକୁ ବାଧ୍ୟ କରିଛୁ।

ରାହୁଲ ଗାନ୍ଧୀ କହିଛନ୍ତି ଯେ ଯେତେବେଳେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସଂସଦରେ ଦେଖୁଛନ୍ତି, ସେତେବେଳେ ସ୍ପଷ୍ଟ ହେଉଛି ଯେ ସେ ଆଉ ପୂର୍ବର ମୋଦୀ ନାହାନ୍ତି ଯାହାଙ୍କର ୫୬ ଇଞ୍ଚ ଛାତି ଥିଲା।

ସେ କହିଛନ୍ତି ଯେ ଯେତେବେଳେ ବି ସରକାର ଏକ ଆଇନ ଆଣନ୍ତି, ବିରୋଧୀ ଏହା ବିରୁଦ୍ଧରେ ଛିଡା ହୁଅନ୍ତି ଏବଂ ତା’ପରେ ସରକାରଙ୍କୁ ଆଇନରେ ପରିବର୍ତ୍ତନ ଆଣିବାକୁ ପଡିଥାଏ। ରାହୁଲ ଏହା ମଧ୍ୟ କହିଛନ୍ତି ଯେ ନିର୍ବାଚନ ସମୟରେ ନରେନ୍ଦ୍ର ମୋଦୀ କହିଥିଲେ ଯେ ତାଙ୍କର ଭଗବାନଙ୍କ ସହ ସିଧାସଳଖ ସମ୍ପର୍କ ଅଛି, କିନ୍ତୁ ବର୍ତ୍ତମାନ ବିରୋଧୀଙ୍କ ଇଣ୍ଡିଆ ମିଳିତ ମଞ୍ଚ ତାଙ୍କୁ ମାନସିକସ୍ତରରେ ଭାଙ୍ଗି ଦେଇଛି।

ରାହୁଲ ଗାନ୍ଧୀ କହିଛନ୍ତି ସେ ଏସବୁକୁ ଘୃଣାଭାବରୁ ନୁହେଁ, ବରଂ ପ୍ରେମରୁ କରିଛନ୍ତି।  ପ୍ରେମ ମାଧ୍ୟମରେ ଘୃଣାକୁ ପରାସ୍ତ କରାଯାଇପାରିବ ବୋଲି ସେ ଦର୍ଶାଇଛନ୍ତି। ଜମ୍ମୁ-କଶ୍ମୀର ସ୍ବତନ୍ତ୍ର ମାନ୍ୟତା ହଟାଇବା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏକ ରାଜ୍ୟକୁ ଏକ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ଏହା ଲୋକଙ୍କ ଅଧିକାର ଉପରେ ସିଧାସଳଖ ଆକ୍ରମଣ।

ଦେଶରେ ବ୍ୟାପକ ବେକାରୀ ପାଇଁ ରାହୁଲ ନରେନ୍ଦ୍ର ମୋଦୀ ସରକାରଙ୍କୁ ଦାୟୀ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ମୋଦୀ ସରକାର କେବଳ ୨-୩ ଜଣ ଶିଳ୍ପପତିଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ଦେଶର ୨୫ ବିଲିୟନେୟାରଙ୍କ ୧୬ ଲକ୍ଷ କୋଟି ଟଙ୍କାର ଋଣ ଛାଡ କରିଥିବାବେଳେ କ୍ଷୁଦ୍ର ବ୍ୟବସାୟୀମାନେ କ୍ଷତି ସହିଛନ୍ତି। ଏହାର ପରିଣାମ ହେଉଛି ସମଗ୍ର ଦେଶରେ, ବିଶେଷକରି ଜମ୍ମୁ-କଶ୍ମୀରରେ ରୋଜଗାରର ଅଭାବ ରହିଛି।

ବର୍ତ୍ତମାନ ଜମ୍ମୁ-କଶ୍ମୀର ସରକାର ଦିଲ୍ଲୀରୁ ପରିଚାଳିତ ହେଉଛନ୍ତି ଏବଂ ଲୋକଙ୍କ ପାଖରେ ନିଜର ଅଧିକାର ନାହିଁ। ନିର୍ବାଚନ ପୂର୍ବରୁ ମଧ୍ୟ ରାଜ୍ୟକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳୁ ବୋଲି କଂଗ୍ରେସ ଚାହୁଁଛି ଏବଂ ନିର୍ବାଚନ ପରେ ଏହା ନିଶ୍ଚିତ ହେବ।

ବିଜେପି ସମାଜରେ ବିଭାଜନ ସୃଷ୍ଟି କରିଥିବା ଅଭିଯୋଗ କରି କହିଛନ୍ତି ଯେ ଭାଷା, ରାଜ୍ୟ, ଧର୍ମ ଏବଂ ଜାତି ଆଧାରରେ ଲୋକଙ୍କୁ ନିଜ ନିଜ ମଧ୍ୟରେ ଲଢ଼ାଇବା ପାଇଁ ସେମାନେ କାର୍ଯ୍ୟ କରୁଛନ୍ତି। ରାହୁଲ ଚେତାବନୀ ଦେଇଛନ୍ତି  ବିଜେପିର ଏହି ଷଡ଼ଯନ୍ତ୍ର ବିଫଳ ହେବ।  ପାହାଡ଼ି ଏବଂ ଗୁର୍ଜର ସମ୍ପ୍ରଦାୟକୁ ପରସ୍ପର ମଧ୍ୟରେ ଲଢ଼ାଇବା ପାଇଁ ସେମାନଙ୍କର ଉଦ୍ୟମ ବ୍ୟର୍ଥ ହେବ।