ୱାୟନାଡ଼: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବ୍ବାସ ନକଭି ସୋମବାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣତାନ୍ତ୍ରିକ ଭାବେ ବଛାଯାଇଥିବା ନେତା ଏବଂ ରାହୁଲ ଗାନ୍ଧି ହେଉଛନ୍ତି ବଂଶଗତ ନେତା। ରାହୁଲ ଗାନ୍ଧି ଅଯୋଗ୍ୟ ଘୋଷିତ ହେବା ପୂର୍ବରୁ ଯେଉଁ ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ବ କରୁଥିଲେ, ସେହି ୱାୟନାଡ଼ରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେବା ଅବସରରେ ନକଭି କହିଛନ୍ତି, ‘ଲୋକଙ୍କ ପସନ୍ଦ ଦ୍ବାରା ନେତା’ ଓ ‘ସୁଯୋଗ ଦ୍ବାରା ନେତା’ ଭିତରେ ଆକାଶ-ପାତାଳ ପ୍ରଭେଦ ରହିଛି। ମୋଦୀଜୀ ହେଉଛନ୍ତି ଗଣ ପସନ୍ଦର ନେତା ଏବଂ ରାହୁଲ ହେଉଛନ୍ତି ବଂଶଗତ ସୁଯୋଗ ଦ୍ବାରା ନେତା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଫଳ ନେତୃତ୍ବରେ ସାରା ବିଶ୍ବରେ ଭାରତର ମାନମର୍ଯ୍ୟାଦା ବୃଦ୍ଧି ପାଇଛି। ଦୁର୍ନୀତି, ସାମ୍ପ୍ରଦାୟିକତା ଓ ଜାତିବାଦ ଦୂର କରି ସେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ପାଇଁ ଅଭିଯାନ ଚଳାଇଛନ୍ତି।
ତିନିଦିନିଆ କେରଳ ଗସ୍ତରେ ଯାଇଥିବା ନକଭି କହିଲେ ଯେ, ମୋଦୀ ଏକ ସାଧାରଣ ଗରିବ ପରିବାରରୁ ଆସିଥିବାରୁ ସେ ସାଧାରଣ ଲୋକଙ୍କ ଦୁଃଖଯନ୍ତ୍ରଣା ବୁଝନ୍ତି। ତେଣୁ ତାଙ୍କର ପ୍ରତିଟି ଜନମଙ୍ଗଳ କାର୍ଯ୍ୟକ୍ରମ ଦ୍ବାରା ସାଧାରଣ ଗରିବ ଲୋକ କିପରି ଉପକୃତ ହେବ ସେଥି ପ୍ରତି ସେ ଦୃଷ୍ଟି ଦେଇଥାନ୍ତି। ବିନା ପକ୍ଷପାତରେ ମର୍ଯ୍ୟାଦା ଓ ସଶକ୍ତୀକରଣ ସହ ବିକାଶ ହେଉଛି ମୋଦୀ ସରକାରର ମନ୍ତ୍ର ବୋଲି ନକଭି କହିଥିଲେ। ଗସ୍ତ ସମୟରେ ନକଭି ୱାୟନାଡ଼ରେ ବିଭିନ୍ନ ଜନ ଯୋଗାଯୋଗ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ବିଥିରି କରିନ୍ଥାନ୍ଦନ ସ୍ମୃତି ମଣ୍ଡପମ୍ଠାରେ ‘ପୁଷ୍ପାର୍ଚ୍ଚନା’ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସେ ବାଥେରିଠାରେ ନ୍ୟୁ ଇଣ୍ଟରନ୍ୟାସନାଲ ଆଇଟି କମ୍ପାନି ମଧ୍ୟ ପରିଦର୍ଶନ କରିଥିଲେ। ସେ ପୁଲପାଲିଠାରେ କୃଷକଙ୍କ ସହ ଭାବବିନିମୟ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/f54s65fh4fs65hfhs.jpg)