ମୋଦୀ ହିଁ ସର୍ବାଧିକ ମିଥ୍ୟା ପ୍ରଚାରର ଶିକାର ହୋଇଛନ୍ତି: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ : ବିଗତ ୨୦ ବର୍ଷରୁ ଅଧିକ କାଳ ଧରି ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ସବୁଠୁ ଅଧିକ ମିଥ୍ୟା ଅପପ୍ରଚାରର ଶିକାର ହୋଇ ଆସିଛନ୍ତି ବୋଲି କେନ୍ଦ୍ର ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। ଏ ପରିପ୍ରେକ୍ଷୀରେ କାହା ପାଇଁ ଲକ୍ଷ୍ଣଣରେଖା ଟଣାଯିବ, ଆତଙ୍କବାଦୀଙ୍କୁ ନା ଦେଶ ବିଭାଜନକାରୀଙ୍କୁ ନା ଗଣତନ୍ତ୍ରକୁ ସମ୍ମାନ କରୁନଥିବା ତଥ୍ୟକୁ ପ୍ରୋତ୍ସାହିତ କରିବା ଲାଗି ସାମାଜିକ ଗଣମାଧ୍ୟମଗୁଡ଼ିକୁ ଅନୁମତି ଦିଆଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ସମ୍ପ୍ରତି ମୋବାଇଲ୍‌ ଫୋନ୍‌ରେ ଚୀନ୍‌ ଆପ୍‌ ପକ୍ଷରୁ ଦେଖାଦେଇଥିବା ବିପଦର ମୁକାବିଲା ଏବଂ ସାମାଜିକ ଓ ଡିଜିଟାଲ ଗଣମାଧ୍ୟମ ସମେତ ଓଟିଟି(ଓଭର ଦି ଟପ୍‌) ମଞ୍ଚରେ ପ୍ରଦର୍ଶିତ ବିଷୟବସ୍ତୁରେ ରୋକ ଲଗାଇବା ପାଇଁ ଆକ୍ସନ୍‌ ମୁଡ୍‌ରେ ଥିବା ରବିଶଙ୍କର ଏପରି ଟିପ୍ପଣୀ କରିଛନ୍ତି।

ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ପରିପ୍ରେକ୍ଷୀରେ ସାକ୍ଷାତକାର ଦେଇ ପ୍ରସାଦ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସମେତ କୌଣସି ମନ୍ତ୍ରୀ ବା ସରକାରଙ୍କ ଯୋଜନା ସମ୍ପର୍କରେ କୌଣସି ପ୍ରକାର ଅସନ୍ତୋଷ, ପ୍ରତିବାଦ ବା ସମାଲୋଚନାକୁ ସେ ସ୍ବାଗତ କରନ୍ତି। ଏପରିକି ନାଗରିକମାନଙ୍କୁ ସଶକ୍ତ କରିବା ପାଇଁ ସାମାଜିକ ଗଣମାଧ୍ୟମର ଭୂମିକାକୁ ତାଙ୍କ ସରକାର ତାରିଫ କରନ୍ତି। ତେବେ ଜାତୀୟ ସୁରକ୍ଷା କି ସାର୍ବଭୌମ୍ୟ ସହ ଜଡ଼ିତ କିମ୍ବା କୌଣସି ଦୁଷ୍କର୍ମ ପୀଡ଼ିତା ବା ମହିଳାଙ୍କୁ ଅପମାନିତ କରିବା ପ୍ରସଙ୍ଗରେ ତାହା କିଏ ପ୍ରଥମେ ଆରମ୍ଭ କରିଛି, ସେ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ସଂପୃକ୍ତ ସାମାଜିକ ଗଣମାଧ୍ୟମ ସେଥିପ୍ରତି ଉତ୍ତରଦାୟୀ ରହିବାକୁ ହେବ। ସେହିପରି ଜନମତରେ ବାରମ୍ବାର ହତାଶ ହେଉଥିବା କିଛି ବ୍ୟକ୍ତି ନିଜର ରାଜନୈତିକ ଲକ୍ଷ୍ୟ ହାସଲ ପାଇଁ ସୁପ୍ରିମକୋର୍ଟର ଦ୍ବାରସ୍ଥ କି କିଛି ସାମାଜିକ ଗଣମାଧ୍ୟମକୁ ଆଶ୍ରା କରୁଛନ୍ତି। ମାତ୍ର ତାହା ଉଚିତ ନୁହେଁ ବୋଲି ରବିଶଙ୍କର କହିଛନ୍ତି।

ସମ୍ବନ୍ଧିତ ଖବର