ଏସ୍‌ସିଓ ସମ୍ମିଳନୀରେ ମୋଦୀ-ଜିନପିଙ୍ଗ ଭେଟ: ହାତ ମିଳାଇଲେନି କି କଥା ହେଲେନି

ସରିଫ୍‌ଙ୍କୁ ବି ଗୁରୁତ୍ବ ଦେଲେନି ପ୍ରଧାନମନ୍ତ୍ରୀ, ଆସନ୍ତା ବର୍ଷ ଭାରତରେ ହେବ ଏସ୍‌ସିଓ ସମ୍ମିଳନୀ

ବେଜିଂ : ଉଜ୍‌ବେକିସ୍ତାନର ଐତିହାସିକ ସହର ସମରକନ୍ଦରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମ୍ମିଳନୀ ଅବସରରେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ମୁହାଁମୁହିଁ ହୋଇଥିଲେ। ଏପ୍ରିଲ ୨୦୨୦ର ଗଲୱାନ ସଂଘର୍ଷ ପରେ ଏହା ଜିନପିଙ୍ଗ ଏବଂ ମୋଦୀଙ୍କ ମଧ୍ୟରେ ପ୍ରଥମ ସିଧାସଳଖ ସାକ୍ଷାତ ଥିଲା। କିନ୍ତୁ ସମ୍ମିଳନୀରେ ମୋଦୀ ଜିନପିଙ୍ଗଙ୍କ ସହ ହାତ ମିଳାଇନାହାନ୍ତି କି କୌଣସି ମତ ବିନିମୟ ‌ମଧ୍ୟ ହୋଇନାହିଁ। ଏନେଇ ବିଦେଶ ମନ୍ତ୍ରାଳୟ ପକ୍ଷରୁ କିଛି ଫଟୋ ମଧ୍ୟ ଜାରି କରାଯାଇନାହିଁ। ଏସ୍‌ସିଓ ସମ୍ମିଳନୀ‌ରେ ମୋଦୀ ଜିନପିଙ୍ଗଙ୍କୁ ଆଦୌ ଗୁରୁତ୍ବ ଦେଇନାହାନ୍ତି।

ଗୁରୁବାର ସନ୍ଧ୍ୟାରେ ରାତ୍ରୀ ଭୋଜନ ସହ ଏକ ବୈଠକ ଥିଲା। କିନ୍ତୁ ମୋଦୀ ବିଳମ୍ବରେ ପହଞ୍ଚିବାରୁ ଏଥିରେ ଯୋଗ ଦେଇ ପାରିନଥିଲେ। ଶୁକ୍ରବାର ଦିନ ଏସ୍‌ସିଓ ନେତାଙ୍କ ବୈଠକ ପରେ ମିଳିତ ଫଟୋ ଉଠାଯିବା ସମୟରେ ଦୁଇ ନେତା ପାଖାପାଖି ଛିଡ଼ା ହୋଇଥିଲେ ମଧ୍ୟ ପରସ୍ପରକୁ ଦେଖି ହାତ ମିଳାଇ ନଥିଲେ କି ହସି ନଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ଙ୍କୁ ମଧ୍ୟ ଆଦୌ ଗୁରୁତ୍ବ ଦେଇନଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସେ ଦ୍ବିପାକ୍ଷିକ ଆଲୋଚନା କରିଥିବା ବେଳେ ଇରାନ୍‌ ରାଷ୍ଟ୍ରପତି ଇବ୍ରାହିମ ରାଇସି, ଉଜ୍‌ବେକିସ୍ତାନ ରାଷ୍ଟ୍ରପତି ସାଭ୍‌କତ ମିର୍ଜିୟୋଭ୍‌ ଏବଂ ତୁର୍କୀ ରାଷ୍ଟ୍ରପତି ତାୟିପ୍‌ ଏର୍ଦୋଗାନଙ୍କୁ ମଧ୍ୟ ପୃଥକ୍‌ ଭାବେ ଭେଟିଥିଲେ।

୨୦୨୩ ଏସ୍‌ସିଓ ସମ୍ମିଳନୀ ଭାରତରେ ଆୟୋଜନ ହେବ ଏବଂ ଏଥିପାଇଁ ଚୀନ୍‌ ଏବଂ ରୁଷ୍‌ ରାଷ୍ଟ୍ରପତି ଭାରତକୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର