ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ଠାରେ ୧୭୮ଠ କୋଟି ଟଙ୍କାରୁ ଅଧିକ ରାଶିର ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ବାରଣାସୀ ଛାଉଣୀ ଷ୍ଟେସନରୁ ଗୋଡ଼ୱାଲିଆ ପର୍ଯ୍ୟନ୍ତ ରୋପ ୱେ’ର ଶିଳାନ୍ୟାସ, ନମାମି ଗଙ୍ଗା ଯୋଜନା ଅଧିନରେ ଗୋଟିଏ ୫୫ ଏମଏଲଡି ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ, ସିଗ୍ରା ଷ୍ଟାଡିୟମର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପୁନର୍ବିକାଶ କାର୍ଯ୍ୟ, ଇଶରୱାର ଗ୍ରାମରେ ଏକ ଏଲପିଜି ବଟଲିଂ ପ୍ଲାଣ୍ଟ, ବରଥରା ଗ୍ରାମରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଲୁଗା ବଦଳିବା ପ୍ରକୋଷ୍ଠ ସହ ଭାସମାନ ଜେଟି ଇତ୍ୟାଦି ରହିଛି । ପ୍ରଧାନମନ୍ତ୍ରୀ ମଧ୍ୟ ଜଳ ଜୀବନ ମିସନ ଅଧୀନରେ ୧୯ଟି ପାନୀୟଜଳ ଯୋଜନା ଲୋକାର୍ପିତ କରିଛନ୍ତି । ଏହା ଦ୍ୱାରା ୬୩ଟି ଗ୍ରାମପଞ୍ଚାୟତରେ ତିନି ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଉପକୃତ ହେବ । ଏହି ଅଭିଯାନ ଅଧୀନରେ ସେ ମଧ୍ୟ ୫୯ଟି ପାନୀୟ ଜଳ ଯୋଜନା ପାଇଁ ଶିଳାନ୍ୟାସ କରିଛନ୍ତି । ସେ ମଧ୍ୟ କାରଖିୟାଁ ଠାରେ ଗ୍ରେଡିଂ ପାଇଁ ସମନ୍ୱିତ ପ୍ୟାକ ହାଉସର ଲୋକାର୍ପଣ କରୁଛନ୍ତି । ଏହା ଫଳ ଓ ପନିପରିବା ବାଛିବା ଓ ପ୍ରକ୍ରିୟାକରଣ କରିବ। ଏଥିସହିତ ପ୍ରଧାନମନ୍ତ୍ରୀ ବାରଣାସୀ ସ୍ମାର୍ଟସିଟି ଅଧୀନରେ ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କରିଥିଲେ।

Advertisment

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ହେଉଛି ନବରାତ୍ରର ଏକ ଶୁଭଦିନ। ଏପରି ସ୍ୱତନ୍ତ୍ର ସମୟରେ ନାଗରିକମାନଙ୍କ ସହ ଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିବା ସହ ବାରଣାସୀର ସମୃଦ୍ଧିର ଏକ ନୂତନ ଅଧ୍ୟାୟ ଆରମ୍ଭ ହେଲା ବୋଲି କହିଛନ୍ତି । ଯାତ୍ରୀ ରୋପ ୱେ’ର ଶିଳାନ୍ୟାସ ସହ ଶହ ଶହ କୋଟି ଟଙ୍କାର ଅନ୍ୟାନ୍ୟ ପ୍ରକଳ୍ପ ନେଇ ମଧ୍ୟ ପଦକ୍ଷେପ ନିଆଯାଇଛି, ଯାହା ବାରଣାସୀର ବିକାଶରେ ସହାୟକ ହେବ । ଏହିସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ପାନୀୟଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ଗଙ୍ଗା ସଫେଇ, ବନ୍ୟା ନିୟନ୍ତ୍ରଣ, ପୁଲିସ ଓ କ୍ରୀଡ଼ା ସେବା ଇତ୍ୟାଦି ରହିଛି ବୋଲି ସେ କହିଥିଲେ।
ଏସବୁ କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଯୋଗ ଦେଇଥିଲେ।