‘ମୋଦୀ ଲାଓକ୍ସିଆନ’: ଚୀନ୍ ନେଟିଜେନ୍‌ଙ୍କ ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକପ୍ରିୟ

ବେଜିଂ : ଚୀନ୍ ନେଟିଜେନ୍ (‌ଇଣ୍ଟରନେଟ୍ ବ୍ୟବହାରକାରୀ)ଙ୍କ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତ୍ୟନ୍ତ ଲୋକପ୍ରିୟ। ସେମାନେ ମୋଦୀଙ୍କୁ ଶ୍ରଦ୍ଧାର ସହ ‘ମୋଦୀ ଲାଓକ୍ସିଆନ୍’ (ମୋଦୀ ଦ ଇମୋର୍ଟାଲ) ଭାବରେ ସମ୍ବୋଧିତ କରନ୍ତି। ଭାରତ-ଚୀନ୍ ସୀମା ବିବାଦ ସତ୍ତ୍ବେ ଚୀନ୍‌ବାସୀଙ୍କ ମନ‌ରେ ମୋଦୀଙ୍କ ପ୍ରତି ଶଦ୍ଧା ରହିଥିବା ଆମେରିକାରୁ ପ୍ରକାଶିତ ପତ୍ରିକା ‘ଦ ଡିପ୍ଲୋମାଟ୍‌’ରେ ଏକ ନିବନ୍ଧରେ ପ୍ରକାଶ ପାଇଛି।

ନିବନ୍ଧର ଶୀର୍ଷକ ହେଉଛି ‘ହାଓ ଇଜ୍ ଇଣ୍ଡିଆ ଭିଉଡ୍‌ ଇନ୍ ଚାଇନା?’ (ଭାରତକୁ ଚୀନ୍‌ରେ କିଭଳି ଦୃଷ୍ଟିରେ ଦେଖାଯାଏ)। ଚୀନ୍ ସୋସିଆଲ ମିଡ଼ିଆର ବିଶ୍ଳେଷକ ଭାବେ ଜଣାଶୁଣା ସାମ୍ବାଦିକ ମୁ ଚୁନସାନଙ୍କ କହିବା ଅନୁସାରେ ଅନେକ ଚୀନ୍‌ବାସୀ ଭାବନ୍ତି ମୋଦୀଙ୍କ ନେତୃତ୍ବାଧୀନ ଭାରତ ବିଶ୍ବର ଅନେକ ଦେଶ ସହ ସନ୍ତୁଳନ ରକ୍ଷା କରିପାରିବ।

ଚାଇନିଜ୍ ଇଣ୍ଟରନେଟ୍‌ରେ ମୋଦୀଙ୍କର ଏକ ବିରଳ ନିକ୍‌ନେମ୍‌ ରହିଛି ‘ମୋଦୀ ଲାଓକ୍ସିଆନ’। ଲାଓକ୍ସିଆନ ମାନେ ବିରଳ କ୍ଷମତା ବିଶିଷ୍ଟ ବୟସ୍କ ବ୍ୟକ୍ତି ଯାହାଙ୍କର ମୃତ୍ୟୁ ନାହିଁ ବା ଯଶୋଦେହରେ ଯେ ଅମର। ଚାଇନିଜ୍ ନେଟିଜେନଙ୍କ ଦୃଷ୍ଟିରେ ମୋଦୀ ହେଉଛନ୍ତି ଜଣେ ବିରଳ ଭିନ୍ନ ମଣିଷ, ଅନ୍ୟ ନେତାଙ୍କଠାରୁ ଭଲ। ତାଙ୍କର ବେଶପୋଷାକ ଅଲଗା। ତାଙ୍କର ନୀତି ପୂର୍ବ ସରକାର ତଥା ଅନ୍ୟ ନେତାମାନଙ୍କଠାରୁ ଅଲଗା। ବିଶ୍ବର ପ୍ରମୁଖ ଦେଶଗୁଡ଼ିକ ସହ ଭାରତର ସମ୍ପର୍କ ବିଷୟରେ ସେମାନେ କହନ୍ତି, ରୁଷ୍ ହେଉ ବା ଆମେରିକା ବା ଦକ୍ଷିଣର ଯେକୌଣସି ଦେଶ, ଭାରତ ସମସ୍ତଙ୍କ ସହ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ରଖିପାରିଛି, ଯାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମୁ କହିଛନ୍ତି।

ସମ୍ବନ୍ଧିତ ଖବର