୨ୟ ପର୍ଯ୍ୟାୟ ଉଜ୍ଜ୍ୱଳା ଯୋଜନାର ଉଦଘାଟନ କଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଜ୍ଜ୍ୱଳା ଯୋଜନାର ୨ୟ ପର୍ଯ୍ୟାୟ ‘ଉଜ୍ଜ୍ୱଳା ୨.୦’ର ଉଦଘାଟନ କରିଛନ୍ତି । ଉତ୍ତରପ୍ରଦେଶର ମାହୋବାଠାରେ ଅନୁଷ୍ଠିତ ଏକ ସମାରୋହରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ ମୋଦୀ କିଛି ହିତାଧିକାରୀଙ୍କୁ ମାଗଣା ଏଲପିଜି ସଂଯୋଗ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ତରଫରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହିତାଧିକାରୀମାନଙ୍କୁ ଏଲପିଜି ସଂଯୋଗର କାଗଜପତ୍ର ପ୍ରଦାନ କରିଥିଲେ ।

ଏହି ଅବସରରେ ମୋଦୀ କହିଛନ୍ତି, ଆମେ ସ୍ଵାଧୀନତାର ୭୫ତମ ବର୍ଷରେ ପ୍ରବେଶ କରିବାକୁ ଯାଉଛୁ। ଏପରି ସ୍ଥିତିରେ ବିଗତ ସାଢ଼େ ସାତ ଦଶନ୍ଧିର ପ୍ରଗତିକୁ ଆମେ ଦେଖିଲେ, ଆମକୁ ନିଶ୍ଚିତ ଭାବେ ଲାଗେ ଯେ କେତେକ ସ୍ଥିତି, କେତେକ ପରିସ୍ଥିତି ଏପରି ରହିଛି, ଯାହାକୁ ଅନେକ ଦଶନ୍ଧି ପୂର୍ବରୁ ବଦଳା ଯାଇପାରିଥାନ୍ତା। ଘର, ବିଦ୍ୟୁତ, ପାଣି, ଶୌଚାଳୟ, ଗ୍ୟାସ, ସଡ଼କ, ଡାକ୍ତରଖାନା ସ୍କୁଲ, ଏପରି ଅନେକ ମୌଳିକ ଆବଶ୍ୟକତା ରହିଛି, ଯାହାକୁ ପୂରଣ କରିବା ଲାଗି ବହୁଦଶନ୍ଧି ପର୍ୟ୍ୟନ୍ତ ଦେଶବାସୀଙ୍କୁ ଅପେକ୍ଷା କରିବାକୁ ପଡ଼ିଲା। ଏହାର ସବୁଠୁ ଅଧିକ କ୍ଷତି ଯଦି କେହି ଉଠାଇଥିଲେ ସେମାନେ ହେଉଛନ୍ତି ଆମର ମା’-ଭଉଣୀମାନେ।

ଉଜ୍ଜ୍ୱଳା ଯୋଜନାର ପ୍ରଥମ  ପର୍ଯ୍ୟାୟରେ ୮ କୋଟି ଗରିବ, ଦଳିତ, ବଞ୍ଚିତ, ପଛୁଆ, ଆଦିବାସୀ ପରିବାରର ଭଉଣୀମାନଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଦିଆଯାଇଛି । ଉଜ୍ଜ୍ୱଳା ଯୋଜନାର ଏକ ପ୍ରଭାବ ମଧ୍ୟ ଏହା ହୋଇଛି ଯେ, ସାରା ଦେଶରେ ଏଲପିଜି ଗ୍ୟାସ ସହ ଜଡ଼ିତ ଭିତ୍ତିଭୂମିର ଅନେକ ଗୁଣା ବିସ୍ତାର ହୋଇଛି । ବିଗତ ୬-୭ ବର୍ଷରେ ସାରା ଦେଶରେ ୧୧ ହଜାରରୁ ଅଧିକ ନୂଆ ଏଲପିଜି ବିତରଣ କେନ୍ଦ୍ର ଖୋଲାଯାଇଛି। ଉତ୍ତର ପ୍ରଦେଶରେ ୨୦୧୪ରେ ୨ ହଜାରରୁ ମଧ୍ୟ କମ ବିତରଣ କେନ୍ଦ୍ର ଥିଲା। ଆଜି ୟୁପିରେ ଏମାନଙ୍କ ସଂଖ୍ୟା ୪ ହଜାରରୁ ଅଧିକ ହୋଇସାରିଛି । ଆଜି ଭାରତରେ ଗ୍ୟାସ କଭରେଜ ଶତପ୍ରତିଶତ ହେବାର ଅତି ନିକଟତର ହୋଇପାରିଛି । ୨୦୧୪ ସୁଦ୍ଧା ଦେଶରେ ଯେତିକି ଗ୍ୟାସ ସଂଯୋଗ ଥିଲା, ତା’ଠାରୁ ଅଧିକ ବିଗତ ୭ ବର୍ଷ ମଧ୍ୟରେ ଦିଆଯାଇଛି। ସିଲିଣ୍ଡର ବୁକିଂ ଏବଂ ଡେଲିଭରୀ ଠାରୁ ଆରମ୍ଭ କରି ପୂର୍ବରୁ ଯେଉଁ ସମସ୍ୟା ଥିଲା, ତାହା ମଧ୍ୟ ଦୂର କରିବା ଲାଗି ପ୍ରୟାସ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧିତ ଖବର