ସବୁ ଜିନିଷର ସବୁ ଶ୍ରେୟ ନିଜେ ନେବାରେ ପ୍ରଧାନମନ୍ତ୍ରୀ ମୋଦି ମାହିର : ମମତା

କୋଲକାତା: ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିଜର ଅସନ୍ତୋଷ ଝାଡ଼ିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ। ଏ-ସାଟ୍‌ ମିସାଇଲ୍‌ ଉତ୍‌କ୍ଷେପଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଚରଣର ତୀବ୍ର କଟାକ୍ଷ କରି ମମତା କହିଛନ୍ତି, ‘ସବୁ ଜିନିଷର ସବୁ ଶ୍ରେୟ କେବଳ ମାତ୍ର ନିଜେ ନେଇ ଯିବାରେ ପ୍ରଧାନମନ୍ତ୍ରୀ ମୋଦି ବେଶ୍‌ ମାହିର୍‌। ଏ-ସାଟ୍‌ ମିସାଇଲ୍‌ ଉତ୍‌କ୍ଷେପଣ ପରେ ମଧ୍ୟ ଏହି ଆଚରଣର ପୁନରାବୃତ୍ତି କରିବାକୁ ଭୁଲି ନାହାନ୍ତି ପ୍ରଧାନମନ୍ତ୍ରୀ ମୋଦି।’


ଏ-ସାଟ୍‌ ମିସାଇଲ୍‌ ଉତ୍‌କ୍ଷେପଣ ପରେ ଏକ ସିରିଜ୍‌ ଟୁଇଟ୍‌ କରିବା ସହ ମମତା ଏହି ସଫଳତା ପାଇଁ  ଡିଆରଡିଓର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଡିଆରଡିଓର କାର୍ଯ୍ୟ ବିଶ୍ୱସ୍ତରର ବୋଲି ମଧ୍ୟ କହିଛନ୍ତି। ତେବେ, ଏ-ସାଟ୍‌ ମିସାଇଲର ସଫଳ ଉତ୍‌କ୍ଷେପଣ ପାଇଁ ସମସ୍ତ ଶ୍ରେୟ ଓ ପ୍ରଶଂସାର ହକ୍‌ଦାର ହେଉଛନ୍ତି ଡିଆରଡିଓର ବୈଜ୍ଞାନିକ ଓ ଗବେଷକମାନେ। ହେଲେ, ସବୁ କାମର ଶ୍ରେୟ କେବଳ ନିଜେ ନେବାରେ ମାହିର ପ୍ରଧାନମନ୍ତ୍ରୀ ମୋଦି ଏସୁଯୋଗକୁ ହାତଛଡ଼ା ନକରି ଏହାର ଶ୍ରେୟକୁ ନିଜେ ମାଡ଼ି ବସିଛନ୍ତି ।

ଏଥିସହ ଏ-ସାଟ୍‌ ପ୍ରସଙ୍ଗରେ ପ୍ରଚାର ସର୍ବସ୍ୱ ପ୍ରଧାନମନ୍ତ୍ରୀ ମୋଦି ଗତ କାଲି ଯେପରି ଢ଼ଙ୍ଗରେ ସୀମାଡ୍ରାମା କଲେ ଏଥିରୁ ଯେପରି ‘ପଲିଟିକାଲ୍‌ ମାଇଲେଜ୍‌’ ଉଠାଇବାକୁ ଉଦ୍ୟମ କଲେ ତାହା ବାସ୍ତବିକ ନିନ୍ଦନୀୟ।

କାରଣ, ଏବେ ନିର୍ବାଚନ ପାଇଁ ଦେଶର ରାଜନୈତିକ ବାତାବରଣ ସରଗରମ ଥିବା ବେଳେ ଏବଂ ଦେଶରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁଥିବା ବେଳେ ଏହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ମମତା।

ସମ୍ବନ୍ଧିତ ଖବର